ଅଧିକାରୀଙ୍କ ଦାୟିତ୍ୱହୀନତା ଲାଗି ବୀମା ପାଇବାରୁ ଚାଷୀ ବଞ୍ଚିତ : ସମ୍ପାଦକ, ମ୍ୟାନେଜର ପରସ୍ପର ଦୋଷାରୋପ

ଦଶରଥପୁର,୨୩ା୯(ଡିଏନ୍‌ଏ): କଟକ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ (ସିସିସିବି) ଦଶରଥପୁର ଶାଖା ଅଧୀନରେ ଦଶରଥପୁର ବ୍ଲକର ୧୩ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ରହିଛି ା ଏହି ସମବାୟ ସମିତି ମଧ୍ୟରୁ ମଙ୍ଗଳପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ଦୁର୍ନୀତି ପଦାକୁ ଆସିବା ପରେ ଅନ୍ୟ ସମବାୟ ସମିତିରେ ମଧ୍ୟ ସମାନ ଧରଣର ଦୁର୍ନୀତି ହୋଇଥିବା ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାପରେ ସମ୍ପୃକ୍ତ ବିଭାଗ ପକ୍ଷରୁ ମଙ୍ଗଳପୁର ସମବାୟ ସମିତି ଉପରେ ବିଭାଗୀୟ ଅଧିକାରୀମାନେ ଚଢାଉ କରି ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲେ। ଏଥିରେ ସମ୍ପୃକ୍ତ ସମବାୟ ସମିତି ସମ୍ପାଦକ ରଜତ ରାୟ ଏବଂ ପିଅନରୁ ଚଞ୍ଚକତା କରି ସହସମ୍ପାଦକ ହୋଇଥିବା ଜଗନ୍ନାଥ ଯେନାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଏହାପରେ ଅନ୍ୟ ସମବାୟ ସମିତିଗୁଡ଼ିକରେ ତଦନ୍ତ କରିବାକୁ ଚାଷୀମାନେ ଦାବି କରିଥିଲେ ମଧ୍ୟ ତଦନ୍ତ ଅଧିକାରୀମାନେ ତଦନ୍ତ ହେବ ବୋଲି କହି ଚୁପ୍‌ ହୋଇ ବସିଯାଇଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଏହି ସେବା ସମବାୟ ସମିତିରୁ ଋଣ କରିଥିବା ଥାଲକୁଡି ପଞ୍ଚାୟତର ୧୦୩ ଜଣ ଚାଷୀ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ବୀମା ଅର୍ଥ ପାଇନାହାନ୍ତି। ଏ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି। ମଙ୍ଗଳପୁର ସମବାୟର ସମିତିର ସେକ୍ରେଟାରୀ ନିରୋଧ କୁମାର ରାୟଙ୍କୁ ଚାଷୀଙ୍କୁ ଅର୍ଥ ପ୍ରଦାନରେ ବିଳମ୍ବ ହେଉଥିବା ସମ୍ପର୍କରେ ପଚାରିବାରୁ, ବ୍ୟାଙ୍କ ମ୍ୟାନେଜର ଅର୍ଡର କଲେ ଯାଇ ଚାଷୀଙ୍କର ବିଭିନ୍ନ ଦସ୍ତାବିଜ୍‌ ପଠାଯିବ। ଏହାପରେ ଥାଲକୁଡି କଥା ବୁଝାଯିବ ବୋଲି କହିଥିଲେ। ତେବେ ସିସିସିବିର ଦଶରଥପୁର ଶାଖା ମ୍ୟାନେଜର ପଦ୍ମଲୋଚନ ଦାସ କହିଛନ୍ତି ଯେ, ସେକ୍ରେଟାରୀ ଚାଷୀଙ୍କ ଆବଶ୍ୟକ କାଗଜପତ୍ର ପଠାଇଲେ ସେମାନଙ୍କୁ ଅର୍ଥ ପ୍ରଦାନ କରାଯିବ। ମାତ୍ର ସେ ପଠାଇ ନାହାନ୍ତି, ପଠାଇଲା ପରେ ଶୀଘ୍ର ହୋଇଯିବ କହିଛନ୍ତି। ତେବେ ସମ୍ପାଦକ ଓ ମ୍ୟାନେଜର ପରସ୍ପରକୁ ଦୋଷାରୋପ କରୁଥିବାବେଳେ ହନ୍ତସନ୍ତ ହେଉଛନ୍ତି ଚାଷୀ। ଏହାସହିତ ଥାଲକୁଡି ପଞ୍ଚାୟତର ୨୫୭ଜଣ ଚାଷୀ ବୀମାଭୁକ୍ତ ହୋଇଥିବାବେଳେ ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ବୀମାଭୁକ୍ତ ଚାଷୀଙ୍କ ନାମ ଭୁଲ୍‌ ରହିଥିବାରୁ ୧୦୩ ଜଣ ଚାଷୀ ବୀମାଅର୍ଥ ପାଇବାରୁ ବଞ୍ଚିତ ହୋଇଥିବା ଜଣାଯାଇଛି। ଯାହାକୁ ନେଇ ଚାଷୀମାନେ ଅନଶନ କରିବେ ଏବଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି।