ଅଧିକାରୀଙ୍କ ଦୁର୍ବ୍ୟବହାର ଭିଡିଓ ଭାଇରାଲ

ବାଲିଆପାଳ,୧୪।୫ (ସ୍ବ.ପ୍ର.)ପ୍ରବାସୀ ଶ୍ରମିକଙ୍କୁ ଜଣେ ପ୍ରଶାସନିକ ଅଧିକାରୀ ଦୁର୍ବ୍ୟବହାର କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲାର ୨୦ରୁ ଊଦ୍ଧର୍‌ବ ପ୍ରବାସୀ ଶ୍ରମିକ ଗୁଜରାଟରୁ ଆସି ବାଲେଶ୍ୱର ଷ୍ଟେଶନରେ ପହଞ୍ଚିଥିଲେ। ସେଠାରୁ ସେମାନଙ୍କୁ ବସ୍‌ ଯୋଗେ ବାଲିଆପାଳକୁ ଆଣାଯାଇଥିଲା। ତେବେ ବସ୍‌ଟି ଦୀର୍ଘ ସମୟ ଛିଡା ହେବାରୁ ଭିତରେ ଥିବା ଶ୍ରମିକମାନେ ଗରମରେ ଅତିଷ୍ଠ ହୋଇ ପଡ଼ିଥିଲେ। ବସରୁ ଓହ୍ଲାଇ ଜଣେ ଅଧିକାରୀଙ୍କୁ ପିଇବା ପାଇଁ ପାଣି ମାଗିଥିଲେ ଓ ବିଭିନ୍ନ ଅସୁବିଧା ବାବଦରେ ଅଭିଯୋଗ କରିଥିଲେ। ପରେ ଉକ୍ତ ଅଧିକାରୀ ଏବଂ ପ୍ରବାସୀ ଶ୍ରମିକଙ୍କ ଭିତରେ କଥା କଟାକଟି ହୋଇ ଉତ୍ତେଜନା ଦେଖା ଦେଇଥିଲା। ସମ୍ପୃକ୍ତ ଅଧିକାରୀ ଏନେଇ ଗାଳି କରିଥିଲେ ବୋଲି ପ୍ରବାସୀ ଶ୍ରମିକ ମିଥୁନ ବାରିକ, କାହ୍ନୁ ଚରଣ ସାନ୍ତା ଅଭିଯୋଗ କରିଛନ୍ତି। ତେବେ ଏନେଇ ସମ୍ପୃକ୍ତ ଅଧିକାରୀଙ୍କୁ ପଚାରିବାରୁ ସେ ଘଟଣାକୁ ସ୍ବୀକାର କରିବା ସହିତ ସେ ଉଦ୍ଦେଶ୍ୟ ମୂଳକ ଭାବେ କହି ନାହାନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଜଣେ ବରିଷ୍ଠ ଅଧିକାରୀଙ୍କ ଏପରି ବ୍ୟବହାରକୁ ସାଧରଣରେ ନିନ୍ଦା କରାଯିବା ସହିତ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Share