ଅଧିକ ଦରରେ କିରୋସିନ ବିକିବା ଘଟଣା: ରିଟେଲରଙ୍କୁ ନିଲମ୍ବିତ କଲେ ଉପଜିଲାପାଳ

ଖପ୍ରାଖୋଲ, ୬।୬(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତର ବିଭିନ୍ନ ଗାଁରେ ଅଧିକ ଦରରେ କିରୋସିନ ବିକ୍ରି ଘଟଣାରେ ରିଟେଲର ନିଲମ୍ବିତ ହୋଇଛନ୍ତି। ପାଟଣାଗଡ଼ ଉପ ଜିଲାପାଳ ସୋମନାଥ ପଧାନ ରିଟେଲର ହଳଧର ଭୋଇଙ୍କୁ ନିଲମ୍ବିତ କରିଛନ୍ତି। ଏ ନେଇ ଖପ୍ରାଖୋଲ ବ୍ଲକ ଯୋଗାଣ ଅଧିକାରୀ ରାଜରାମ ହୋତାଙ୍କୁ ପଚାରିବାରୁ ଚଢା ଦରରେ କିରୋସିନ ବିକିବା ଅଭିଯୋଗରେ ରିଟେଲର ନିଳମ୍ବିତ ହୋଇଛନ୍ତି। ଏହାସହ ଅମାନତ ଜମା ବ୍ୟାଜାପ୍ତ ପାଇଁ ଉପ ଜିଲାପାଳ ଆଦେଶ ଦେଇଛନ୍ତି ବୋଲି କହିଛନ୍ତି। ସୂଚନାଯେଯୋଗ୍ୟ, ହିତାଧିକାରୀଙ୍କ ଅଭିଯୋଗକୁ ଭିତ୍ତି କରି ପାଟଣାଗଡ ଉପଜିଲାପାଳ ପଧାନ ଘଟଣାର ତଦନ୍ତ ପାଇଁ ସହକାରୀ ଜିଲାପାଳ ପଦ୍ମନାଭ ପୁରୋହିତଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ଏଣୁ ସହକାରୀ ଜିଲାପାଳ ପୁରୋହିତ ମହରାପଦର ଏବଂ ବନମାଲ ଗାଁକୁ ଯାଇ ଖାଉଟିଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ସରକାରୀ ଦର ୧୮ ଟଙ୍କା ବଦଳରେ ରିଟେଲର ୩୩ରୁ ୪୨ ଟଙ୍କାରେ କିରୋସିନ ବିକ୍ରି କରିଥିବା ଜାଣିବାକୁ ପାଇ ସେ ଉପଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।