ଓଡ଼ିଶା ବିଧାନସଭାରେ ୧୨ ଜୁଲାଇ ୨୦୧୯ରେ ଉପସ୍ଥାପିତ ଅବକାରୀ ବିଭାଗ ଷ୍ଟାଣ୍ଡିଂ କମିଟିର ସୁପାରିସ ଅନୁଯାୟୀ ରାଜ୍ୟରେ ଅଧିକ ମଦ ବିକ୍ରି ପାଇଁ ବ୍ୟବସ୍ଥା କରାଯିବା ଦରକାର ବୋଲି କୁହାଯାଇଛି। ଏହାପଛର ଲକ୍ଷ୍ୟ ଭାବେ ଦର୍ଶଯାଇଛି ଯେ, ରାଜ୍ୟର ଅବକାରୀ ଆୟ ବୃଦ୍ଧି କରିବା। ଏଭଳି ସୁପାରିସରେ ଆହୁରି କୁହାଯାଇଛି, ଲାଇସେନ୍ସପ୍ରାପ୍ତ ଯେଉଁ ବ୍ୟବସାୟୀ ମିନିମମ୍ ଗ୍ୟାରେଣ୍ଟି କୋଟା (ଏମ୍ଜିକ୍ୟୁ) ଲକ୍ଷ୍ୟ ହାସଲ କରୁଛନ୍ତି ବା ତା’ଠାରୁ ଅଧିକ ମଦ ଉଠାଉଛନ୍ତି, ସେମାନଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରାଯାଉ। ଗୋଟିଏପଟେ ମହିଳା ସଶକ୍ତୀକରଣ ଲାଗି ପଦକ୍ଷେପ ନିଆଯାଉଛି ବୋଲି ଦାବି କରାଯାଉଥିବା ବେଳେ ଅନ୍ୟପଟେ ଏଭଳି ଚିନ୍ତାଧାରା ରାଜ୍ୟ ସରକାରଙ୍କ ଅସଲ ରୂପକୁ ପଦାରେ ପକାଇଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ୨୦୧୮ ସେପ୍ଟେମ୍ବରରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେ, ପ୍ରତିବର୍ଷ ଭାରତରେ ମଦ୍ୟପାନ ଯୋଗୁ ୨ ଲକ୍ଷ ୬୦ ହଜାର ଲୋକଙ୍କ ପ୍ରାଣହାନି ଘଟୁଛି। ଅତ୍ୟଧିକ ମଦ୍ୟପାନ ଲିଭର ସିରୋସିସ୍ ଭଳି ମାରାତ୍ମକ ରୋଗ ସୃଷ୍ଟି କରି ଲୋକଙ୍କ ପ୍ରାଣ ନେଉଥିବା ବେଳେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଦ୍ୱାରା ଅନେକଙ୍କ ଜୀବନ ଯାଉଛି। ଅନ୍ୟପଟେ ଆତଙ୍କବାଦ ଯୋଗୁ ୨୦୧୪ରୁ ୨୦୧୮ ମଧ୍ୟରେ ଦେଶର ସର୍ବାଧିକ ସମ୍ବେଦନଶୀଳ ଜମ୍ମୁ ଓ କଶ୍ମୀରରେ ମାତ୍ର ୧୩୧୫ ଜଣ ଲୋକଙ୍କ ପ୍ରାଣହାନି ଘଟିଥିବା ଏକ ତଥ୍ୟରୁ ଜଣାପଡ଼ିଛି। ଭାରତ ସରକାରଙ୍କ କହିବା ଅନୁଯାୟୀ ଆତଙ୍କବାଦ ହେଉଛି ଏହି ଦେଶର ମୁୁଖ୍ୟ ଶତ୍ରୁ, ଯାହାର ମୁକାବିଲା ପାଇଁ ଅନେକ ହଜାର କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ କରାଯାଉଛି। ଉଭୟ ମଧ୍ୟରେ ତୁଳନାତ୍ମକ ବିଶ୍ଳେଷଣ କଲେ ମଦ୍ୟପାନଜନିତ ପ୍ରାଣହାନି ଆତଙ୍କବାଦ ସମ୍ବନ୍ଧୀୟ ମୃତ୍ୟୁ ସଂଖ୍ୟାଠାରୁ କାହିଁ କେତେ ଗୁଣରେ ଅଧିକ। କେବଳ ସେତିକି ନୁହେଁ, ମଦ ଅନେକ ଗରିବଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ଅବସ୍ଥାକୁ ଟାଣି ନେବା ସହ ପାରିବାରିକ ଅଶାନ୍ତିର ମୂଳ କାରଣ ସାଜୁଛି। ଯାହା ଦ୍ୱାରା ରାଜ୍ୟ ବା ଦେଶରେ ଅର୍ଥନୈତିକ ଓ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେଉଛି, ତାହାକୁ ବନ୍ଦ କରିଦେବା ସରକାରଙ୍କ ପ୍ରାଥମିକ କାର୍ଯ୍ୟ ହେବା କଥା। ଭାରତରେ ଗୁଜରାଟ, ମିଜୋରାମ, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ ଏବଂ ବିହାରରେ ମଦ ବିକ୍ରି ଉପରେ ରୋକ ଲଗାଯାଇଛି। ସେଥିପାଇଁ ଏଗୁଡ଼ିକୁ ‘ଡ୍ରାଏ ଷ୍ଟେଟ୍’ ଆଖ୍ୟା ଦିଆଯାଇଛି। ହେଲେ ବ୍ୟବସାୟୀମାନେ ବେଆଇନ ଭାବେ ଏହିସବୁ ରାଜ୍ୟରେ ମଦ ଯୋଗାଉଥିବାରୁ ମଦ୍ୟପ ଚଢ଼ାଦରରେ ତାହାକୁ କିଣୁଥିବା ସମସ୍ତେ ଜାଣନ୍ତି। ଏଭଳିସ୍ଥଳେ ଓଡ଼ିଶା କଥା ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡୁଛି। ମଦ ବ୍ୟବସାୟ ବଢ଼ାଇବା ଲାଗି ବିଧାନସଭାର ଷ୍ଟାଣ୍ଡିଂ କମିଟି ଦେଇଥିବା ସୁପାରିସକୁ ଦେଖିଲେ ରାଜ୍ୟରେ ସରକାର ଯେମିତି ମଦ ବନ୍ୟା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ବିଧାୟକ ସୁବ୍ରତ ତରାଇ ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ ଅନ୍ୟ ସଦସ୍ୟମାନେ ଅଛନ୍ତି ବିଧାୟକ ସୁରେଶ କୁମାର ରାଉତରାୟ, ଚନ୍ଦ୍ରସାରଥି ବେହେରା, ପର୍ଶୁରାମ ଧଡ଼ା, ଜଗନ୍ନାଥ ନାଏକ ଏବଂ ପ୍ରଭୁ ଜାନି ।
ଏଠାରେ ଏହା ମଧ୍ୟ ଦର୍ଶାଯାଇପାରେ ଯେ, ଓଡ଼ିଶାର ପଡ଼ୋଶୀ ରାଜ୍ୟ ଯେଉଁଠାରେ ମଦକୁ ବେଆଇନ ଘୋଷଣା କରାଯାଇ ନାହିଁ, ସେଠାରେ ରାଜସ୍ବ ବୃଦ୍ଧି ସକାଶେ ମଦର ଦାମ୍କୁ ଅଧିକ ରଖାଯାଇଛି। ଉଦାହରଣ ସ୍ବରୂପ, ଓଡ଼ିଶା ତୁଳନାରେ ପଶ୍ଚିମବଙ୍ଗରେ ମଦ ଦର ପ୍ରାୟ ୪୦ ପ୍ରତିଶତ ଅଧିକ। ସେହିଭଳି ଦିଲ୍ଲୀ, ବମ୍ବେରେ ମଧ୍ୟ ଓଡ଼ିଶାଠାରୁ ଦର ଯଥେଷ୍ଟ ଉଚ୍ଚା ରହୁଛି। ଓଡ଼ିଶାରେ ରାଜସ୍ବ ଆଦାୟକୁ ବୃଦ୍ଧି କରିବା ଲକ୍ଷ୍ୟରେ ମଦ ବ୍ୟବସାୟୀଙ୍କୁ ପୁରସ୍କାର ଦେବା ଲାଗି କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଏବେ ବେପାରୀମାନେ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିପାରନ୍ତି। ସମାଜରେ ଏକ ଭଲ କାର୍ଯ୍ୟ କରିବା ଲାଗି ଯେତିକି ସହଯୋଗ ମିଳି ନ ଥାଏ, ଖରାପ କାମ ଆପେ ଆପେ ପାଣି ପାଇଯାଇଥାଏ। ସେହି ଦୃଷ୍ଟିରୁ ଦେଖିଲେ, ଅଧିକ ମଦୁଆ ସୃଷ୍ଟି କରିବା ଲାଗି ବ୍ୟବସାୟୀମାନେ ଏବେ ଆଗେଇ ଆସିବାକୁ ପସନ୍ଦ କରିବା ସ୍ବାଭାବିକ। ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ସରକାର ପର୍ଯ୍ୟାପ୍ତ ରାଜସ୍ବ ପାଇପାରିବେ ଓ ବ୍ୟବସାୟୀ ଲାଭବାନ ହେବେ। କୋଟା ପୂରଣ ଦିଗରେ ବ୍ୟବସାୟୀମାନେ ମଦ ବିକିବାରେ ସକ୍ଷମ ହେଲେ ମଦୁଆଙ୍କ ସଂଖ୍ୟା ଆହୁରି ବଢ଼ିଯିବ। ଏହା ଦ୍ୱାରା ରାଜ୍ୟରେ ସାମାଜିକ ବିଶୃଙ୍ଖଳା ଜନ୍ମିବା ଥୟ। ଏଥିସହିତ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସୁନିଶ୍ଚିତ।
ଏହା ଜଣାଶୁଣା ଯେ, ରାଜ୍ୟ ଏବେ ଋଣ ଭାରରେ ବୁଡ଼ି ରହିଛି। ୨୦୧୯ ଫେବୃୟାରୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ଋଣ ପରିମାଣ ଗତ ଆର୍ଥିକବର୍ଷ ଶେଷ ସୁଦ୍ଧା ୮୮ ହଜାର କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୧ ଲକ୍ଷ କୋଟି ଟଙ୍କାରୁ ଉପରକୁ ଯିବ ବୋଲି ଆକଳନ କରାଯାଇଛି। ଏତେବଡ଼ ଆକାରର ଋଣ ପରିମାଣ ଦେଖିଲେ ଯେକେହି ଆଚମ୍ବିତ ହେବେ। ତେଣୁ ଏହାର ସକାରାତ୍ମକ ସମାଧାନ ପନ୍ଥା ବାହାର କରାଯିବା ଉଚିତ। ସରକାର ସେଥିପ୍ରତି ଦୃଷ୍ଟି ନ ଦେଇ ମଦ ବିକ୍ରି ବଢ଼ାଇବା ଲାଗି ପୁରସ୍କାର ଘୋଷଣାକୁ କାର୍ଯ୍ୟକାରୀ କଲେ ଜନସାଧାରଣଙ୍କ ନିକଟକୁ ଭୁଲ ବାର୍ତ୍ତା ଯିବା ଥୟ। ବିଶେଷକରି ଓଡ଼ିଶାର ଗ୍ରାମାଞ୍ଚଳ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି। ସେମାନଙ୍କୁ ଦମନ କରି ମଦ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପୋଲିସ ଓ ସାଧାରଣ ପ୍ରଶାସନ ସର୍ବଦା ତତ୍ପର ହେଉଥିବା ଦେଖାଯାଉଛି। ଏଭଳି ପରିସ୍ଥିତିରେ ମଦ ବିକ୍ରିକୁ ଯଦି ଅଧିକ ସହଜ କରିଦିଆଯାଏ, ତେବେ ରାଜସ୍ବ ବୃଦ୍ଧି ହୋଇପାରେ; କିନ୍ତୁ ତାହା ସମ୍ପୂର୍ଣ୍ଣ ଭାବେ ମହିଳା ବିରୋଧୀ ପଦକ୍ଷେପ ହେବ। ଗୋଟେପଟେ ନାରୀ ସଶକ୍ତୀକରଣ ଏବଂ ସ୍ବୟଂ ସହାୟକ ଗୋଷ୍ଠୀକୁ ଘୁଷ୍ ଆକାରରେ ଅର୍ଥ ଯୋଗାଇ ଦିଆଯାଉଥିବା ବେଳେ ଅପରପକ୍ଷରେ ସେହି ମହିଳାମାନଙ୍କ ପରିବାରକୁ ତଳିତଳାନ୍ତ କରିଦେବା ଲାଗି ସରକାର ମସୁଧା କରୁଥିବା ସ୍ପଷ୍ଟ ମନେହୁଏ। ଅଧିକ ବିକ୍ରି ପରିବର୍ତ୍ତେ ମଦ ଦରକୁ ଯଥେଷ୍ଟ ବୃଦ୍ଧି କରାଯାଇପାରନ୍ତା। ତତ୍ସହିତ ରାସ୍ତା ଓ ଗ୍ରାମାଞ୍ଚଳଠୁ ଦୂରେଇ ରଖି ମଦ ବିକ୍ରି ପାଇଁ ବାର୍ ଲାଇସେନ୍ସ ସହଜ ଉପାୟରେ ଏବଂ ତାହାକୁ ଅନ୍ଲାଇନ୍ ବ୍ୟବସ୍ଥା କରାଇ ମଧ୍ୟସ୍ଥଙ୍କ ଭୂମିକାକୁ ସୀମିତ କରାଯାଇପାରିଲେ, ସରକାର ତାଙ୍କ ଲକ୍ଷ୍ୟ ହାସଲ ସହିତ ସାମାଜିକ ଅସ୍ଥିରତାକୁ ଘଟିବାକୁ ଦିଅନ୍ତେ ନାହିଁ। ଦୁଃଖର ବିଷୟ ଯେ, ବିଧାନସଭାର ଅବକାରୀ ଷ୍ଟାଣ୍ଡିଂ କମିଟି ଅନେକ ବିଚାର ପରେ ଦେଇଥିବା ମୂଲ୍ୟବାନ ସୁପାରିସ ସାଧାରଣରେ ଗ୍ରହଣୀୟ ହେଉନାହିଁ।