ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୪ା୯(ବ୍ୟୁରୋ):ଅଳ୍ପ ଖର୍ଚ୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି। ଉଭୟଙ୍କୁ ଏକାସଙ୍ଗେ ହାସଲ କରିହେବ ବୋଲି ଇସ୍ପାତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଟ୍ରେଡ ୟୁନିୟନ ନେତୃମଣ୍ଡଳୀ ସହିତ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଆଲୋଚନାରେ ଇସ୍ପାତ ଶିଳ୍ପରେ ଭାଗୀଦାରି ସଂସ୍କୃତିକୁ ମଜଭୁତ କରିବା ପାଇଁ ଅନେକ ସକାରାତ୍ମକ ଓ ଗଠନମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଟ୍ରେଡ ୟୁନିୟନର ପ୍ରତିନିଧିମାନେ ଶ୍ରମିକ କଲ୍ୟାଣ, ମାନବ ସମ୍ବଳର ସୁବିନିଯୋଗ, ଦକ୍ଷତା ବିକାଶ, ସୁରକ୍ଷା, ବାସଗୃହ, ସବୁ ବୟସର ଶ୍ରମିକଙ୍କ ଉପସ୍ଥିତି, ମଜୁରିର ରିଭିଜନ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା। ଉପସ୍ଥିତ ଟ୍ରେଡ୍‌ ୟୁନିୟନ ପ୍ରତିନିଧିମାନେ ଶ୍ରମିକମାନଙ୍କ ନିକଟତର ହେବା ଉଦ୍ୟମକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି। ଗତ ମାସରେ ବୋକାରୋ ଷ୍ଟିଲ ପ୍ଲାଣ୍ଟ ଗସ୍ତ ସମୟରେ ଧର୍ମେନ୍ଦ୍ର କର୍ମଚାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ କର୍ମଚାରୀମାନଙ୍କ ସ୍ବାର୍ଥରକ୍ଷା ସହ ପ୍ରବନ୍ଧନ ଓ କର୍ମଚାରୀମାନଙ୍କ ମଧ୍ୟରେ ସହବନ୍ଧନ ମାଧ୍ୟମରେ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସ୍ଥାୟୀ ଓ ଠିକା ଉଭୟ କର୍ମଚାରୀଙ୍କୁ ଡିଜିଟାଲ ରାସ୍ତାରେ ଦେୟ ପ୍ରଦାନ କରାଯିବା ସହ ପାରଦର୍ଶିତା ରକ୍ଷା କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଇସ୍ପାତ ଶିଳ୍ପର ଟାଉନଶିପ ସମସ୍ତ ନାଗରିକଙ୍କ ସହିତ ସ୍ମାର୍ଟସିଟିମାନର ହେବା ଜରୁରୀ। ସେଲ ଦ୍ୱାରା ପ୍ରଦାନ କରାଯାଉଥିବା ସ୍ବାସ୍ଥ୍ୟସେବା ସୁବିଧା ଆଗାମୀ ଦିନରେ ଚାଲୁ ରହିବା ସହ ଏହାକୁ ଆଧୁନିକୀକରଣ କରାଯିବ ବୋଲି ସେ କହିଛନ୍ତି।