Categories: ରାଜ୍ୟ

ଅଧିକ ସହାୟତା ଦାବି କଲା ଆଇନସେବା ପ୍ରାଧିକରଣ

ଢେଙ୍କାନାଳ ଅଫିସ,୧୧ା୬ଢେଙ୍କାନାଳ ଅଳସୁଆ ହାଟଠାରେ ରବିବାର ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି ଭୁଶୁଡି ୪ଜଣ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୫ଜଣ ଆହତ ହୋଇଥିଲେ। ସୋମବାର ଜିଲା ଆଇନସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ କ୍ଷୀରୋଦ କୁମାର ଦାସଙ୍କ ନିର୍ଦ୍ଦେଶରେ ସଚିବ ଅରୁଣ ପଟ୍ଟନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ପାରା ଲିଗାଲ ଭଲ୍ୟୁଣ୍ଟିୟର କବିତା ବେହେରା ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ ସେମାନେ ଆଲୋଚନା କରିଥିଲେ। ଏଥିସହିତ ଦୁର୍ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ମୃତ ପରିବା ବ୍ୟବସାୟୀଙ୍କ ପରିବାର, ଆହତ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ସମ୍ପୃକ୍ତ ପରିବାରଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ। ଦୁର୍ଘଟଣାରେ ମୃତ ସିଦ୍ଧପଡା ଗ୍ରାମର ପରିବା ବ୍ୟବସାୟୀ ମାୟାଧର ମଲିକଙ୍କ ୪ ସନ୍ତାନ ମଧ୍ୟରୁ ୩ଜଣଙ୍କ ପାଠ ପଢା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ପରିବାରକୁ ସାହାଯ୍ୟ କରିବା ପାଇଁ ଜଣେ ପାରାଲିଗାଲ ଭଲ୍ୟୁଣ୍ଟିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା

Share