ଅଧିକ ସୂର୍ଯ୍ୟକିରଣରୁ ସଂକ୍ରମଣ

ଟରଣ୍ଟୋ,୧୧ା୬(ପି.ଟି.): ଅଧିକ ଉତ୍ତାପ ଏବଂ ଆର୍ଦ୍ରତା କୋଭିଡ୍‌-୧୯ ସଂକ୍ରମଣକୁ ହ୍ରାସ କରିଥାଏ ବୋଲି କୁହାଯାଉଥିଲାବେଳେ ଅଧିକ ସମୟ ସୂର୍ଯ୍ୟକିରଣ ଯୋଗୁ ସଂକ୍ରମଣ ବଢ଼ିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଜିଓଗ୍ରାଫିକାଲ ଆନାଲିସିସ୍‌ ପତ୍ରିକାରେ ଏହି ଗବେଷଣା ପ୍ରକାଶ ପାଇଛି। ସଂକ୍ରମଣର ଅଧିକ ଆଶଙ୍କା ସତ୍ତ୍ୱେ ଖରାଦିନରେ ଅଧିକ ଲୋକ ବାହାରକୁ ବାହାରିଥାନ୍ତି। କାନାଡାର ମାକ୍‌ମାଷ୍ଟର ୟୁନିଭର୍ସିଟି ନେତୃତ୍ୱରେ ହୋଇଥିବା ଏହି ଗବେଷଣାରୁ ଜଣାପଡିଛି ଇନ୍‌ଫ୍ଲୁଏଞ୍ଜା ଏବଂ ସାର୍ସ ଭୂତାଣୁ କମ୍‌ ତାପମାତ୍ରା ଓ ଆର୍ଦ୍ରତାରେ ଅଧିକ ବ୍ୟାପିଥାନ୍ତି। ତେବେ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ସହ ଜଳବାୟୁ ସ୍ଥିତିର ସମ୍ପର୍କ ନେଇ ବିଶେଷ ଜଣାପଡିନାହିଁ। ଗବେଷକମାନେ ୩୦ ଦିନର ପାଣିପାଗ ସୂଚନା ଏବଂ ପ୍ରତିଦିନର ସଂକ୍ରମଣ ସଂଖ୍ୟାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ସେଥିରୁ ଜଣାପଡିଥିଲା ଅଧିକ ଉତ୍ତାପ ଓ ଆର୍ଦ୍ରତାରେ ସଂକ୍ରମଣ କମୁଛି। ୧ ପ୍ରତିଶତ ତାପମାତ୍ରା ବୃଦ୍ଧି ହେଲେ କୋଭିଡ୍‌-୧୯ ମାମଲା ୩ ପ୍ରତିଶତ କମୁଥିବା ଏହି ତଥ୍ୟରୁ ଜଣାପଡିଛି। ତେବେ ଅଧିକ ସମୟ ସୂର୍ଯ୍ୟକିରଣ ଅର୍ଥ ଅଧିକ ସଂକ୍ରମଣ ବ୍ୟାପିବା ବୋଲି ଗବେଷକମାନେ କହିଛନ୍ତି।

Share