ନୂଆଦିଲ୍ଲୀ,୯।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯିବ। ୩ ମ୍ୟାଚ୍ବିଶିଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ଥିବା ବିରାଟ କୋହଲିଙ୍କ ଦଳ ଏବେ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ଏହି ମ୍ୟାଚ୍ ଅଧିନାୟକ କୋହଲିଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ମ୍ୟାଚ୍ରେ ଟସ୍ ପକାଇବା ପରେ କୋହଲି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଭାରତ ପାଇଁ ସର୍ବାଧିକ ଟେଷ୍ଟ ମ୍ୟାଚ୍ରେ ଦଳର ନେତୃତ୍ୱ ନେବାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିବେ। ଗାଙ୍ଗୁଲି ମୋଟ ଉପରେ ୪୯ ଟେଷ୍ଟରେ ଦଳର ନେତୃତ୍ୱ ନେଇଥିଲେ। ଏହି ତାଲିକାର ଶୀର୍ଷରେ ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ। ତାଙ୍କ ନେତୃତ୍ୱରେ ଭାରତ ୬୦ ଟେଷ୍ଟ ଖେଳିଥିଲା। ଏହି ତାଲିକାରେ ଗାଙ୍ଗୁଲି(୪୯) ୩ୟ ରହିଥିବାବେଳେ ୪୭ ଟେଷ୍ଟରେ ଦଳର ନେତୃତ୍ୱ ନେଇଥିବା ସୁନିଲ ଗାଭାସ୍କର ଓ ମହମ୍ମଦ ଆଝାରୁଦ୍ଦିନ ଉଭୟ ୪ର୍ଥ ସ୍ଥାନରେ ରହିଛନ୍ତି। ମନସୁର ଅଲି ଖାନ ପଟୌଦି (୪୦) ୫ମ ସ୍ଥାନରେ ରହିଛନ୍ତି। ଏପର୍ଯ୍ୟନ୍ତ ୩୦ ବର୍ଷୀୟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ସର୍ବାଧିକ ସଂଖ୍ୟକ ଟେଷ୍ଟ ଜିତିସାରିଛି। ତାଙ୍କ ନେତୃତ୍ୱରେ ଭାରତ ୪୯ ଟେଷ୍ଟ ଖେଳି ୨୯ ମ୍ୟାଚ୍ ଜିତିଛି। କୋହଲିଙ୍କ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଦଳ ୬୦ ମ୍ୟାଚ୍ ଖେଳି ୨୭ ବିଜୟ ପାଇଥିଲା।