ଓଡ଼ିଆ ସାହିତ୍ୟରେ ପଦ୍ମଶ୍ରୀ ଡ.ପ୍ରତିଭା ରାୟ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ। ସାହିତ୍ୟରେ ରୁଚି ରଖୁଥିବା ପ୍ରତିଟି ଲୋକ ତାଙ୍କ ବିଷୟରେ ଅବଗତ। ରେଭେନ୍ଶା କଲେଜରେ ପାଠ ପଢ଼ୁଥିବା ସମୟକୁ ନେଇ ଡ.ରାୟଙ୍କ ଅନୁଭୂତି…
ଆମ ପରିବାରର ପ୍ରାୟ ସମସ୍ତେ ରେଭେନ୍ଶା କଲେଜରେ ପାଠ ପଢ଼ିଛନ୍ତି। ଏଣୁ ପିଲାଟିବେଳୁ ରେଭେନ୍ଶାରେ ପଢିବା ପାଇଁ ମୋର ଆଗ୍ରହ ଥିଲା। ଏଠାରେ ନାମ ଲେଖାଇବା ପରେ ଜଣେ ଗାଉଁଲି ଝିଅ ଭାବେ ମୋତେ ପରିଚୟ ମିଳିଥିଲା। ଏହାକୁ ନେଇ ବେଳେବେଳେ ଦୁଃଖ ଲାଗେ ଆଉ ଏକୁଟିଆ ମନମାରି ମଧ୍ୟ ବସୁଥିଲି। ଥରେ ରେଭେନ୍ଶାରେ କବିତା ପ୍ରତିଯୋଗିତା ହୋଇଥିଲା। ସେଥିରେ ମୁଁ ଭାଗ ନେବା ସହ ଦ୍ୱିତୀୟ ପୁରସ୍କାର ପାଇଥିଲି। ବିଜ୍ଞାନ ଛାତ୍ରୀ ହୋଇଥିବାରୁ କବିତା ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ପାଇବା ଅନେକଙ୍କୁ ଚକିତ କରୁଥିଲା। ସେହିଦିନଠାରୁ ଗାଉଁଲି ଝିଅ ପରିଚୟ ବଦଳରେ ମେଧାବୀ ଭାବେ ନୂଆ ପରିଚୟ ପାଇଥିଲି। କିଛିଦିନ ଭିତରେ ଅନେକଙ୍କର ପ୍ରିୟ ହୋଇପାରିଥିଲି। ଏପରି କି ମୋ ଲେଖାକୁ ସମସ୍ତେ ପଢିବାକୁ ଭଲ ପାଉଥିଲେ। ଡ. ସଦାଶିବ ମିଶ୍ର ସେ ସମୟରେ କଲେଜର ଅଧ୍ୟକ୍ଷ ଥାନ୍ତି। ଲେଖା ସହିତ ଗୀତ ଗାଇବାକୁ ମଧ୍ୟ ମୋର ଆନ୍ତରିକତା ଥିଲା। ହଷ୍ଟେଲରେ ରହୁଥାଏ। କଳା ବିକାଶ କେନ୍ଦ୍ରରେ ଗୀତ ଶିଖିବି ବୋଲି ବାପାଙ୍କୁ କହିଥିଲି। ବାପା ଆସି ଅଧ୍ୟକ୍ଷଙ୍କୁ ଦେଖା କରି ମୋ ଗୀତ ଶିଖିବା କଥା କହିଥିଲେ। ହେଲେ ଅଧ୍ୟକ୍ଷ ଡ. ମିଶ୍ରଙ୍କର ଏକ ସର୍ତ୍ତ ଥିଲା, ମୋର ନିଜ ଲୋକ କିଏ ଯଦି ସାଙ୍ଗରେ ଯିବେ ତା’ହେଲେ ଅନୁମତି ମିଳିବ। ନହେଲେ କଲେଜ ପାଠପଢା ସରିଲେ ଝିଅ ଗୀତ ଶିଖିବ। ମୁଁ ଗୀତ ଶିଖିବି ନାହିଁ ବୋଲି ରାଗରେ ବାପାଙ୍କୁ ମନା କରି ଦେଇଥିଲି। ହେଲେ ଅଧ୍ୟକ୍ଷଙ୍କ ସେ ଆକଟ ଏବେ ମୋ ପାଇଁ ଆଶୀର୍ବାଦ ସଦୃଶ ହୋଇଛି। ସବୁଦିନ ପାଇଁ ତାଙ୍କ ପାଖରେ ମୁଁ ଚିର କୃତଜ୍ଞ ହୋଇ ରହିବି। ସେଦିନ ଗୀତ ଶିଖିଥିଲେ ଆଜି ଜଣେ ଭଲ ଲେଖିକା ହୋଇ ପାରି ନ ଥାନ୍ତି। ଗୀତ ସହିତ ସାହିତ୍ୟର ସାଧନା ଅତ୍ୟନ୍ତ କଷ୍ଟସାଧ୍ୟ।