Categories: ଜାତୀୟ

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣରେ ମେଜର ଶହୀଦ

ଶ୍ରୀନଗର,୧୭।୬: ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ମେଜର ଶହୀଦ ହୋଇଥିବା ବେଳେ ୩ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଏଥିସହ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହତ ଯବାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଏବେ ବି ଦୁଇ ପାର୍ଶ୍ୱରୁ ଗୁଳିବିନିମୟ ଜାରି ରହିଛି। ସୁରକ୍ଷାକର୍ମୀ ଆଖପାଖ ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ୍‌ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ସୋମବାର ସକାଳେ ଅନନ୍ତନାଗର ଆଛାବଲ୍‌ରେ ଆତଙ୍କବାଦୀ ଲୁଚି ରହିଥିବା ଖବର ବିଶ୍ୱସ୍ତ ସୂତ୍ରରୁ ସେନାଙ୍କୁ ମିଳିଥିଲା। ଏହାପରେ ମିଳିତ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରିଥିଲେ। ସେହି ସମୟରେ ଆତଙ୍କାବଦୀ ସେନାଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ। ଏହାର ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ।

Share