ଅନନ୍ୟ କାରିଗର ‘ଷଷ୍ଠ ଶ୍ରେଣୀରୁ ମୂର୍ତ୍ତି ଗଢ଼ି ପାଠ ପଢ଼ିଛି ’

କେନ୍ଦୁଝର, ୫ା୯ (ସ୍ବ.ପ୍ର.)-ପିଲାଟି ଦିନରୁ ମୂର୍ତ୍ତି କଳା ପ୍ରତି ଆଗ୍ରହ ଥିଲା ା ତୃତୀୟ ଶ୍ରେଣୀରୁ ଛୋଟ ଛୋଟ ମୂର୍ତ୍ତି ଗଢିବା ପରେ ଷଷ୍ଠ ଶ୍ରେଣୀରୁ ମୂର୍ତ୍ତି ଗଢି ରୋଜଗାରକ୍ଷମ ହୋଇ ପାଠ ପଢିଥିବା କହିଛନ୍ତି ମୂର୍ତ୍ତି କାରିଗର ପଦ୍ମନାଭ ପୁହାଣ। ଏବେ ବୟସ ୪୨। ସେ ସ୍ଥାନୀୟ ଡିଏଫଓ ଅଫିସରେ ଗଣେଶ ମୂର୍ତ୍ତି ନିର୍ମାଣ କରିଥିଲେ। ପିଲାଦିନେ ଗାଁ ଗଣ୍ଡାରେ ଭାଲୁକୁଣୀ, ଲକ୍ଷ୍ମୀ ଆଦି ମୂର୍ତ୍ତି ଛାଞ୍ଚରେ ଗଢୁଥିଲେ। ଯୁକ୍ତ ୨ ପରେ ପରେ ବଡ ବଡ ମୂର୍ତ୍ତି ଗଢା କାମ ଆରମ୍ଭ କରିଥିଲେ। ତେବେ ଗ୍ରାଜୁଏଶନ (ବିଏ) ପରେ ଏହି କାର୍ଯ୍ୟକୁ ବୃତ୍ତି ଭାବରେ ଗ୍ରହଣ କରି ଏବେ ସୁଦ୍ଧା କରିଆସୁଛନ୍ତି। ପଦ୍ମନାଭଙ୍କ ଘର ଘଷିପୁରା ବ୍ଲକ କରଡାପାଳ ଗ୍ରାମରେ। ସବୁ ଜାଣିଥିଲେ ମଧ୍ୟ ଆଗକୁ ବଢ଼ିବାକୁ କୌଣସି ପ୍ରୋତ୍ସାହନ ମିଳିନାହିଁ।
ସେ ମାଟି, ସିମେଣ୍ଟ ଓ ଫାଇବରରେ ମୂର୍ତ୍ତି ଗଢିବା କାମ କରୁଛନ୍ତି। ଦୀର୍ଘ ୧୨ ବର୍ଷ ହେଲା ଡିଏଫଓ ଅଫିସରେ ଗଣେଶ ମୂର୍ତ୍ତି ଗଢିବା କାମ ସହ ଡେଲି ମାର୍କେଟ, ବଡବିଲ ବିକାଶ ମହଲରେ ଦୁର୍ଗାପୂଜା ସମେତ ଅନ୍ୟାନ୍ୟ ସ୍ଥାନରେ ମୂର୍ତ୍ତି ଗଢ଼ିବା କାମ କରି ରୋଜଗାର କରୁଥିବା କହିଛନ୍ତି। ଯଦିଓ କଳାର ମୂଲ୍ୟ ମିଳୁନାହିଁ ତେବେ ବର୍ଷରେ ସବୁ ଖର୍ଚ୍ଚ ଯାଇ ୪୦/୫୦ ହଜାର ଟଙ୍କା ରୋଜଗାର ହୋଇଥାଏ ା ସେଥିରେ ଦୁଇ ପୁଅଝିଅ ଓ ସ୍ତ୍ରୀଙ୍କ ସହିତ ଖୁସିରେ ଚଳିଆସୁଥିବା କହିଛନ୍ତି। ସେ ଏହି କଳା ଶିକ୍ଷା ଅଳତିର ପ୍ରମୋଦ ବରାଳଙ୍କଠାରୁ ଶିଖିଥିବା କୁହନ୍ତି। ସେ ବିଭିନ୍ନ ପ୍ରକାରର ମାଟି ମୂର୍ତ୍ତି, ମାଙ୍ଗଳିକ, ମନ୍ଦିରର ପାର୍ଶ୍ୱ ମୂର୍ତ୍ତି ଆଦି ଗଢନ୍ତି। ପୂଜାପାର୍ବଣ ସମୟରେ ମାଟି ମୂର୍ତ୍ତି ଓ ଅନ୍ୟ ସମୟରେ ମନ୍ଦିର ଓ ଅନ୍ୟାନ୍ୟ ସାଜସଜ୍ଜା ମୂର୍ତ୍ତି ମଧ୍ୟ ଗଢିଥାନ୍ତି। ସରକାରଙ୍କ ଆର୍ଟିସିଆନ କାର୍ଡ ମିଳିଛି କିନ୍ତୁ ଅଦ୍ୟାବଧି କୌଣସି ପ୍ରୋତ୍ସାହନ ଭତ୍ତା ବା ସହାୟତା ମିଳି ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। କଳା ପ୍ରତି ତାଙ୍କର ଆବେଗ ଥିବାରୁ ସେଭଳି ଲାଭ ନ ଥିଲେ ମଧ୍ୟ ଛାଡି ପାରୁ ନ ଥିବା କହିଛନ୍ତି। ସହାୟତା ମିଳିଲେ ନିଶ୍ଚିତ ଭଲ ଭାବେ କାମ କରି ଅଧିକ ରୋଜଗାରକ୍ଷମ ହୋଇପାରନ୍ତେ ବୋଲି ସେ କହିଛନ୍ତି।