Categories: ଜାତୀୟ

ଅନଶନ ପାଇଁ ଅଡି ବସିଲେ ସ୍ବାତୀ: ମୋଦିଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୩।୧୨: ହାଇଦ୍ରାବାଦରେ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଭେଟେରିନାରି ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଅଣ୍ଟା ଭିଡିଛନ୍ତି। ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଅନଶନରେ ବସିବେ ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ଜନ୍ତରମନ୍ତରରେ ଧାରଣା ଦେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଏକ ଚିଠି ଲେଖିଛନ୍ତି। ଅନ୍ୟପଟେ ଧାରଣାସ୍ଥଳ ଭିତରକୁ ଯିବା ପାଇଁ ପୋଲିସ ଅଟକାଇବା ସହ ଅନଶନ ପାଇଁ ବାରଣ କରିଥିବା ନେଇ ସ୍ବାତୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପୋଲିସ ତାଙ୍କୁ ଜନ୍ତରମନ୍ତରରେ ଅନଶନରେ ବସିବା ପାଇଁ ଦେଉନାହିଁ। ଏବେ ଜଣେ ମହିଳାଙ୍କୁ ଶାନ୍ତିରେ ଅନଶନ କରିବାକୁ ବି ଅନୁମତି ମିଳିବ ନାହିଁ। ସତରେ କ’ଣ ଏହା ଲୋକତନ୍ତ୍ର ବୋଲି ସେ ପ୍ରଶ୍ନ କରିଛନ୍ତି। ୬ମାସ ଭିତରେ ବଳାତ୍କାରୀଙ୍କୁ ଫାଶି ନ ମିଳିବା ପର୍ଯ୍ୟନ୍ତ ସେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ସରକାର ଖୁବ୍‌ଶୀଘ୍ର ମହିଳାଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଆଣନ୍ତୁ ବୋଲି ସ୍ବାତୀ ଦାବି କରିଛନ୍ତି।

Share