Advertisement

ଅନାଥ ଶିଶୁଙ୍କୁ କୋଳେଇ ନେଲେ ବୃଦ୍ଧାଶ୍ରମର ଅନ୍ତେବାସୀ

ବର୍ତ୍ତମାନ ସମୟରେ ଅନେକ ପିଲା ମାତାପିତାଙ୍କୁ ବୋଝ ବୋଲି ଭାବୁଛନ୍ତି। ହେଲେ ମାତାପିତା କେବେବି ସେମାନଙ୍କ ସନ୍ତାନଙ୍କୁ ବୋଝ ବୋଲି ଭାବି ନ ଥାଆନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ଅହମଦାବାଦରେ ଥିବା ଏକ ବୃଦ୍ଧାଶ୍ରମରେ। ‘ଜୀବନ ସନ୍ଧ୍ୟା’ ନାମକ ବୃଦ୍ଧାଶ୍ରମର ଅନ୍ତେବାସୀମାନେ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଫେବୃୟାରୀ ୨୭ରେ ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଏଠାକାର ଅନ୍ତେବାସୀମାନେ ‘ଶିଶୁ ଗୃହ’ ନାମକ ଏକ ଅନାଥାଶ୍ରମର ପିଲାମାନଙ୍କୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି। ଏମାନେ ଯେତେବେଳେ ଅନାଥ ପିଲାମାନଙ୍କୁ ପୋଷ୍ୟଭାବେ ଗ୍ରହଣ କରୁଥିଲେ ସେତେବେଳେ ସେଠାକାର ପରିବେଶ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା। କାରଣ ବୃଦ୍ଧାଶ୍ରମର ଅନ୍ତେବାସୀମାନେ ଅନାଥ ପିଲାମାନଙ୍କୁ ଏତେ ମାତ୍ରାରେ ସ୍ନେହଶ୍ରଦ୍ଧା କରିଥିଲେ ଯେମିତି ସେମାନେ ତାଙ୍କ ନିଜର ସନ୍ତାନଠାରୁ କିଛି କମ୍‌ ନ ଥିଲେ। ‘ଜୀବନ ସନ୍ଧ୍ୟା’ ର ଜଣେ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଏଣିକି ବୃଦ୍ଧାଶ୍ରମର ଅନ୍ତେବାସୀମାନେ ସପ୍ତାହରେ ଗୋଟିଏ ଦିନ ସେମାନଙ୍କ ପୋଷ୍ୟ ସନ୍ତାନମାନଙ୍କ ସହ କଟାଇବେ। ଏହାଦ୍ୱାରା ପିଲାମାନେ ସେମାନଙ୍କ ଜେଜେମା ଜେଜେଙ୍କ ସ୍ନେହ ମମତା ପାଇବା ସହ ବୃଦ୍ଧାଶ୍ରମର ଅନ୍ତେବାସୀମାନେ ନାତୁଣୀନାତିଙ୍କ ସ୍ନେହଶ୍ରଦ୍ଧା ମଧ୍ୟ ପାଇପାରିବେ ବୋଲି କହିଛନ୍ତି ‘ଜୀବନ ସନ୍ଧ୍ୟା’ ର ଅଧ୍ୟକ୍ଷ ସି.କେ.ପଟେଲ। ଏହା ଉଭୟଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel