ଭୁବନେଶ୍ୱର, ୨୭।୧୦(ବ୍ୟୁରୋ): ପବିତ୍ର ଦୀପାବଳିକୁ ନେଇ ସମଗ୍ର ରାଜ୍ୟ ଉତ୍ସବମୁଖର ହୋଇଉଠିଛି। ଏହାକୁ କିଭଳି ନିଆରା ଢଙ୍ଗରେ ପାଳନ କରିବେ ତାହାକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍ଓଏସ୍ ଭିଲେଜ୍ରେ ଥିବା ଅନାଥ ଶିଶୁମାନଙ୍କ ସହ ଦୀପାବଳି ପାଳନ କରିବେ ବୋଲି ଜଣାପଡ଼ିଛି। ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଏସ୍ଓଏସ୍ ଭିଲେଜ୍ ଯିବାର କାର୍ଯ୍ୟକ୍ରମ ରହିଛି। କେବଳ ସେ ନୁହନ୍ତି, ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଶିଶୁପାଳନ କେନ୍ଦ୍ରଗୁଡ଼ିକୁ ଯାଇ ଦୀପାବଳି ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟ ସଚିବ, ଉନ୍ନୟନ କମିଶନର ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସମସ୍ତ ଜିଲାର ଜିଲାପାଳ, ଡିଜିପି ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କୁ ମଧ୍ୟ ଅନାଥାଶ୍ରମ ଏବଂ ବିଭିନ୍ନ ବାଟାଲିୟନର ଯବାନ ଏବଂ ସେମାନଙ୍କ ପରିବାର ସହ ଦୀପାବଳି ପାଳନ କରିବାକୁ କୁହାଯାଇଛି।