ଅନାଥ ଶିଶୁପୁତ୍ରକୁ ସହାୟତାର ହାତ ବଢ଼ାଇଲେ ଡାକ୍ତର:ବର୍ଷକ ପର୍ଯ୍ୟନ୍ତ ଖାଦ୍ୟ, ଔଷଧ ଯୋଗାଇବେ

ମାହାଙ୍ଗା,୨୫-୯(ସ୍ବ.ପ୍ର.):ମାହାଙ୍ଗା ଅଞ୍ଚଳର ଜଣେ ଶିଶୁପୁତ୍ର ମା’ଗର୍ଭରେ ଥିବାବେଳେ ତା’ର ବାପାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାର ୩ମାସ ପରେ ଶିଶୁପୁତ୍ର ଜନ୍ମ ହୋଇଥିଲା। ଶିଶୁପୁତ୍ର ଜନ୍ମ ହେବାର ୭ ଦିନ ମଧ୍ୟରେ ମା’ର ମୃତ୍ୟୁ ହୋଇ ଯାଇଥିଲା। ଫଳରେ ଏହି ଶିଶୁପୁତ୍ର ମା’ବାପାଙ୍କୁ ହରାଇ ଅନାଥ ହୋଇ ଜେଜେ ମା’ଓ ଜେଜେ ବାପାଙ୍କ ନିକଟରେ ରହିଥିଲା। ଗରିବ ଜେଜେ ମା’ଓ ଜେଜେମା ବାପା ମା’ ଛେଉଣ୍ଡ ଶିଶୁକୁ ଅଭାବ ଅନାଟନ ମଧ୍ୟରେ ଲାଳନ ପାଳନ କରିଥିଲେ। ନିକଟରେ ଶିଶୁଟି କାମଳ ରୋଗରେ ଆକ୍ରାନ୍ତ ହେବାରୁ ତାକୁ ମାହାଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଥିବା ଶିଶୁରୋଗ ବିଶେଷଜ୍ଞ ତଥା ଭାରପ୍ରାପ୍ତ ଚିକିତ୍ସାଧିକାରୀ ହେମନ୍ତ ସିଂହ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ବିତ୍ତ ପରିଚାଳକ ସନ୍ତୋଷ ଶତପଥୀ ଶିଶୁ ସମ୍ପର୍କରେ ଶୁଣିବା ପରେ ତାକୁ ସହାୟତାର ହାତ ବଢ଼ାଇଥିଲେ। ଏକ ବର୍ଷ ପର୍ଯ୍ୟନ୍ତ ଶିଶୁର ସମସ୍ତ ଖାଦ୍ୟ ଓ ଔଷଧ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ମଙ୍ଗଳବାର ଡା. ସିଂହ ଶିଶୁର ଘରକୁ ଆସି ତାର ଜେଜେ ମା’ ଓ ଜେଜେ ବାପାଙ୍କୁ ୫ ହଜାର ଟଙ୍କା ପ୍ରଦାନ କରିବା ସହ ଏକ ବର୍ଷ ପାଇଁ ସମସ୍ତ ଖାଦ୍ୟ ଓ ଔଷଧ ଦେବା ପାଇଁ ଦାୟିତ୍ୱ ନେଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ବିତ୍ତ ଅଧିକାରୀ ତଥା ସମ୍ଭବ ଅନୁଷ୍ଠାନ ଆବାହକ ଶତପଥୀ ୨ହଜାର ଟଙ୍କା ଶିଶୁ ପରିବାରକୁ ପ୍ରଦାନ କରିଛନ୍ତି। ଏଥିରେ ଯୁବ ସଙ୍ଗଠକ ଆଲୋକ ବାରିକ ଓ ସୁଦର୍ଶନ ରାଉତ ଉପସ୍ଥିତ ଥିଲେ। ଡା. ସିଂହଙ୍କ ଏହି ମହାନୀୟତା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ପ୍ରକାଶଯୋଗ୍ୟ, ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ଗ୍ରାମର ଦୀପକ ବେହେରା ଗତ ମାର୍ଚ୍ଚ ୧୯ରେ ବାଇକ ଯୋଗେ କଟକ ଯାଉଥିବାବେଳେ ପାଗା ଛକରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହି ସମୟରେ ତାଙ୍କ ସ୍ତ୍ରୀ ମିନାକ୍ଷୀ ଗର୍ଭବତୀ ଥିଲେ। ଜୁଲାଇ ୧୪ରେ ଟାଙ୍ଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ସେଠାରେ ୫ଦିନ ରହି ଘରକୁ ଆସିବା ପରେ ମିନାକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଦିନ ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ଜନ୍ମ ହୋଇଥିବା ଶିଶୁ ପୁତ୍ର ମା’ବାପା ଛେଉଣ୍ଡ ହୋଇ ଯାଇଥିଲା। ପୁଅ ଓ ବୋହୂକୁ ହରାଇଥିବା ଦ୍ୱୈତାରୀ ଓ ସୁଲୋଚନା ନାତିକୁ ଲାଳନପାଳନ କରିଥିଲେ।

Share