ଅନାରକଲି’ ମନ୍ତବ୍ୟ: ଆଜମ୍‌ଙ୍କ ପୁଅଙ୍କୁ ଜୟପ୍ରଦାଙ୍କ ଭର୍ତ୍ସନା

ଲକ୍ଷ୍ନୌ,୨୩ା୪(ପି.ଟି.): ରାମପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ଜୟପ୍ରଦା ତାଙ୍କ ପ୍ରତି ‘ଅନାରକଲି’ ମନ୍ତବ୍ୟ ପାଇଁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଜମ ଖାନ୍‌ଙ୍କ ପୁତ୍ର ଅବଦୁଲା ଆଜମଙ୍କୁ ସମାଲୋଚନା କରିଛନ୍ତି। ଉଭୟ ବାପା ଓ ପୁଅ ମହିଳାଙ୍କୁ କେଉଁ ଦୃଷ୍ଟିରେ ଦେଖନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ରବିବାର ରାମପୁରରେ ଏକ ଜନ ସମାବେଶ ହେଉଥିବା ବେଳେ ଅବଦୁଲା କହିଥିଲେ, ‘ଉଭୟ ଅଲି ଓ ବଜରଙ୍ଗବଲୀ ଆମର, କିନ୍ତୁ ଆମେ ଅନାରକଲି ଚାହଁୁନା’। ଅନାରକଲି ମୋଗଲ ସମ୍ରାଟ ଆକବରଙ୍କ ଅଦାଲତରେ ଜଣେ ପ୍ରସିଦ୍ଧ ନର୍ତ୍ତକୀ। ଆକବରଙ୍କ ପୁତ୍ର ଜାହାଙ୍ଗୀରଙ୍କ ସହିତ ତାଙ୍କର ପ୍ରେମସମ୍ପର୍କ ଥିଲା। ଦଣ୍ଡ ସ୍ବରୂପ ଅନାରକଲିଙ୍କୁ ଜୀବନ୍ତ ସମାଧି ଦିଆଯାଇଥିଲା।
ତେବେ ଜୟପ୍ରଦା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଅବଦୁଲାଙ୍କୁ ପୁତ୍ରଭାବେ ଦେଖିଆସିଛି। ସେ ଜଣେ ଶିକ୍ଷିତ ବ୍ୟକ୍ତି ହୋଇଥିବାରୁ ତାଙ୍କଠାରୁ ଏଭଳି ଆଚରଣ ଆଶା କରି ନ ଥିଲି। ଏଥିରୁ ଜଣାପଡୁଛି ଉଭୟ ବାପପୁଅ ସମାଜରେ ମହିଳାଙ୍କୁ କିଭଳି ସମ୍ମାନ ଦିଅନ୍ତି। ତାଙ୍କ ବାପା ପୂର୍ବରୁ ଅନାରକଲି ଆଖ୍ୟା ଦେଇଥିଲେ। ପୁଅ ମଧ୍ୟ ସେଭଳି ମନ୍ତବ୍ୟ ଦେଲେ।
ଜୟପ୍ରଦା ଅଭିନେତ୍ରୀରୁ ରାଜନେତା ପାଲଟିଥିବାରୁ ରାମପୁର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଜମ ଖାନ୍‌ ଜୟପ୍ରଦାଙ୍କୁ ‘ଅନାରକଲି’ (ନାଚଗୀତରେ ପ୍ରବୀଣା) ଆଖ୍ୟା ଦେଇଥିଲେ।
ଅବଦୁଲା ଆଜମ୍‌ ରାମପୁର ଅନ୍ତର୍ଗତ ସୁଆର ଆସନରୁ ସମାଜବାଦୀ ପାର୍ଟିର ବିଧାୟକ ଥିବାବେଳେ ତାଙ୍କ ପିତା ରାମପୁର ଲୋକ ସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।