ଅନାହାରର ବୋଝ

ଅବିନାଶ ଦାଶ ଚୌଧୁରୀ

କରୋନା ରୋଗଟି ଜନମାନସରେ ନୂଆକରି ଉଦୟ ହୋଇଛି ସତ, କିନ୍ତୁ ରୋଗଟି ଆମ ପୃଥିବୀରେ ଥିଲା ଅନେକ କାଳରୁ। ହଁ, ଏହି କଥାଟି ସତ ଯେ ତା’ର ଏହି ପ୍ରଳୟଙ୍କରୀ ରୂପର କୌଣସି ପୂର୍ବ ନଜୀର ନାହିଁ। ଏତେମାତ୍ରାରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁର ତାଣ୍ଡବଲୀଳା ରଚିବାର କ୍ଷମତା ଏହି ରୋଗକୁ ଏକ ମହାମାରୀରେ ପରିଣତ କରିଦେଇଛି। ସଂକ୍ରମଣର ଭୟ ବାଧ୍ୟବାଧକତାରେ ଆମକୁ ରୋଗ ସାମ୍ନାରେ ଛିଡ଼ା କରିଛି। ଠିକ୍‌ ସେହିପରି ଆଗରୁ ମଧ୍ୟ ଦେଶର ଗରିବ, ଆଦିବାସୀ, ଚାଷୀ ଓ ପଛୁଆ ବର୍ଗର ମଣିଷ ପେଟ ପୋଷିବାକୁ କାମର ସନ୍ଧାନରେ କାହିଁ କେତେ ଦୂର ଯାଉଥିଲେ । ନିଜ ପରିବାର, ଗାଁର କିଛି ଲୋକ ଓ ସାହି ପଡ଼ିଶାଙ୍କୁ ଛାଡ଼ିଦେଲେ ସେମାନଙ୍କର କେହି କେବେ ଖବର ରଖି ନ ଥାନ୍ତି। ଅପରିଚିତ, ଅଜଣା ଓ ଏକାନ୍ତ ଜୀବନରେ ଅଭ୍ୟସ୍ତ ସେମାନେ। ଘର ଚଳେଇବା ପାଇଁ ଅନେକ ଦୂରରେ ସମୟ କାଟନ୍ତି। ହେଲେ କରୋନା ଉପଦ୍ରବ ମାଡ଼ରେ ସେମାନେ ଆସିଛନ୍ତି ନଜରକୁ। ସରକାର, ଗଣମାଧ୍ୟମ, ‘ଜନସାଧାରଣ’, ରାଜନୈତିକ ଦଳମାନେ ତାଙ୍କର ଉପସ୍ଥିତିକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଛନ୍ତି।
‘ପ୍ରବାସୀ ଶ୍ରମିକ’ ନାମରେ ପରିଚିତ ଏହି ବିଶାଳ ଗୋଷ୍ଠୀକୁ କିନ୍ତୁ କଲମ୍ବସଙ୍କର ଆମେରିକା ‘ଆବିଷ୍କାର’ ଶୈଳୀରେ କେହି ଆବିଷ୍କାର କରିନଥିଲେ । ସେମାନେ ନିଜେ ସ୍ବତଃପ୍ରବୃତ୍ତ ଭାବେ ନିଜର ସକ୍ରିୟତା ବଳରେ ସାମ୍ନାକୁ ଆସିଥିଲେ। ଭାରତବର୍ଷର ଇତିହାସରେ ହୁଏତ ପ୍ରଥମଥର ଲାଗି ଏତେ ଅସଙ୍ଗଠିତ ମଜଦୁରମାନେ ଏକାଠି ହୋଇଥିଲେ ବିନା କୌଣସି ବ୍ୟାନରରେ ବା ସଙ୍ଗଠନର ଆହ୍ବାନରେ। କେବଳ ଗୋଟିଏ ସ୍ଲୋଗାନ ‘ଘରକୁ ଯିବୁ!’ ନେପଥ୍ୟରେ ଥିବା ଏହି ଶ୍ରମିକମାନେ ଯେତେବେଳେ ଖବରକାଗଜଗୁଡ଼ିକର ପ୍ରଥମ ପୃଷ୍ଠାରେ ଦେଖାଗଲେ, ତାହା ସାମାନ୍ୟ ନଥିଲା।
ଦୂର-ସୁଦୂରରେ ଶ୍ରମିକଙ୍କ ଖବର ପାଇଲେ ସହରବାସୀ। କେତେଜଣ ବୁଦ୍ଧିଜୀବୀଙ୍କ ଛଡ଼ା, କିଏ ଅବା ଜାଣିଥିଲା ଛତିଶଗଡ଼ର ମାଡ଼କାମ ଆଦିବାସୀମାନେ ତେଲଙ୍ଗାନାର ଲଙ୍କା କ୍ଷେତରେ କାମ କରି ପେଟ ପୋଷନ୍ତି? ବା ଉତ୍ତରାଖଣ୍ଡର ପିଥୋରାଗଡ଼ରେ ନେପାଳୀ ଶ୍ରମିକମାନେ ଅଛନ୍ତି ହଜାର ହଜାର ସଂଖ୍ୟାରେ? ଅବଶ୍ୟ ଓଡ଼ିଶାରୁ ସୁରଟ ଯାଉଥିବା ଶ୍ରମିକଙ୍କ କଥା ଆମେ ଶୁଣିଛୁ, ହେଲେ ଏହି ବିଶାଳ ସଂଖ୍ୟା ବିଷୟରେ କ’ଣ ଧାରଣା ଥିଲା ଆମର?
ଖବର ପ୍ରସାରିତ ହେଲା ଆକୃଷ୍ଟ କରୁଥିବା କୌଣସି ଭ୍ରମଣ କାହାଣୀ ସଦୃଶ। ଚେନ୍ନାଇର କିଛି ମତ୍ସ୍ୟଜୀବୀ ଡଙ୍ଗା କିଣି ଆସି ଗଞ୍ଜାମ ଜିଲାରେ ପହଞ୍ଚିବା କଥା ରୋମାଞ୍ଚତ୍ତ କରିଥିଲା ସମସ୍ତଙ୍କୁ । ସତେଯେମିତି ମନୋରଞ୍ଜନର କାର୍ଯ୍ୟକ୍ରମ ଚାଲିଥିଲା ଏହି କଠିନ ସମୟରେ। ନିଜ ଘରକୁ ଫେରିବା ଆଶାରେ ଆସିଥିବା ଲକ୍ଷ ଲକ୍ଷ ଲୋକ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବାର ଦୃଶ୍ୟ ଦେଖାଯାଇଥିଲା ଦିଲ୍ଲୀ ଓ ବମ୍ବେର ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେଶନଗୁଡ଼ିକରେ । ରୋଗର ଭୟକୁ ପଛରେ ପକାଇଥିଲା ଅନାହାରର ସତ୍ୟତା ଶ୍ରମିକମାନଙ୍କ ପାଇଁ। ମଧ୍ୟବିତ୍ତ ପରିବାବରରେ କିନ୍ତୁ ଏହି ବିପୁଳ ସଂଖ୍ୟକ ଲୋକଙ୍କ ଆଚରଣ ‘ବିଶୃଙ୍ଖଳା’ ଓ ‘ଦାୟିତ୍ୱହୀନତା’ ଭାବରେ ଦେଖାଯାଉଥିଲା। ସେ ପଦକ୍ଷେପଟି ନିଜ ଜୀବନକୁ ବାଜିମାରି ଯେ ନେଉଥିଲେ ଶ୍ରମିକମାନେ, ତାହା ହଜିଯାଇଥିଲା।
କୁହାଗଲା, ଚିନ୍ତାଶୀଳତା ଓ ସହାନୁଭୂତିତାର ପରିଚୟ ହେଉଛି ଘରେ ବସି ରହିବା। ସମାଜରେ ଦାୟିତ୍ୱବୋଧତାର ନିଦର୍ଶନ ‘ଲକ୍‌-ଡାଉନ’କୁ ମାନି ଚଳିବା, ଯାହା ବାସ୍ତବରେ ଠିକ୍‌। ଯିଏ ‘ଲକ୍‌-ଡାଉନ’ ମାନି ପାରୁନାହାନ୍ତି, ମୁଖ୍ୟତଃ ଗରିବ ଶ୍ରେଣୀର, ସେମାନେ ନିଜକୁ ସ୍ବଆୟତ୍ତରେ ରଖିପାରୁନାହାନ୍ତି ଓ ସେମାନଙ୍କୁ ଦଣ୍ଡ ଦିଆଯିବା ଉଚିତ ବୋଲି ଧାର୍ଯ୍ୟ ହେଲା। କିନ୍ତୁ ଏହି ବିପୁଳସଂଖ୍ୟକ ପ୍ରବାସୀ ଶ୍ରମିକ କ’ଣ ସତରେ ଦାୟିତ୍ୱହୀନ ନିଜ ଜୀବନ ପାଇଁ?
ସମାଜର ଏହି ପରିସ୍ଥିତିର ବିଶ୍ଳେଷଣ କରିବାକୁ ହେଲେ ନୈତିକତାକୁ ବିଚାରରଶୀଳତାରେ ଅଙ୍ଗୀଭୂତ କରିବାକୁ ହେବ । କିଛି ଦିନ ଆଗରୁ ପଶ୍ଚିମ ବଙ୍ଗଳାର ଜଣେ ଶ୍ରମିକ କେରଳରେ ଅଟକ ଥାଇ କହିଥିଲେ, ତାଙ୍କ ପାଇଁ ନିଜ ଜନ୍ମସ୍ଥାନରେ ମୃତ୍ୟୁବରଣ କରିବା ବା ନ କରିବା ଭିତରେ ତଫାତ ଦେଖାଯାଉଥିଲା ଫେରିବା ବା ରହିବାର ନିଷ୍ପତ୍ତିରେ। ଏହି ଉକ୍ତିଟିର ମୂଲ୍ୟାୟନ ଦର୍ଶାଏ ଯେ, ଆଜିର ଘଡ଼ିସନ୍ଧି ମୁହୂର୍ତ୍ତରେ ମଣିଷକୁ ନିଜର ଖାଦ୍ୟପେୟ ଛଡ଼ା ଯାହା ଆବଶ୍ୟକ ତାହା ହେଉଛି ତା’ର ପରିବାରର ଆଦର।
ଶ୍ରମିକମାନଙ୍କ ଉପରକୁ ଆଙ୍ଗୁଠି ଉଠାଉଥିବା ଲୋକମାନଙ୍କୁ ଜାଣି ନେବା ଉଚିତ ଯେ ଖଟିଖିଆ ମଣିଷ ନିଜର ଧୈର୍ଯ୍ୟର ପରୀକ୍ଷାରେ ଆଗରୁ ସଫଳ। ତା’ର ଏଭଳିି ଆକୁଳତା କୌଣସି ପରିସ୍ଥିତିରେ ଦେଖାଯାଇ ନାହିଁ। ସମୟର ଚକ୍ରାନ୍ତରେ ଯେତେବେଳେ ସମସ୍ତ ଗାଡିମୋଟର, ବଜାର ଓ ଆମଦାନୀର ଉପାୟ ଠପ ହୋଇଯାଇଛି, ସେତେବେଳେ ସେ ନିଜର ବ୍ୟସ୍ତତା ଓ ମନର ଉଚ୍ଛନ୍ନତାକୁ ବାନ୍ଧି ରଖିପାରୁନାହିଁ। ତା’ର ଘରକୁ ଫେରିବାର ଇଚ୍ଛାକୁ ‘ଦାୟିତ୍ୱହୀନତା’ର ଆଖ୍ୟା ଦେଇ ମୂଳ ସମସ୍ୟାଗୁଡ଼ିକର ସମାଧାନ କରିହେବ ନାହିଁ।
ବର୍ଗ, ଲିଙ୍ଗ, ଜାତି ଓ ଅନ୍ୟାନ୍ୟ ବିଷମତାରେ ପରିପୂର୍ଣ୍ଣ ଏହି ସମାଜରେ ଯେ କୌଣସି ଗୋଟିଏ ନିଷ୍ପତ୍ତିର ସରଳ କାର୍ଯ୍ୟକାରିତା ହେବା ଅସମ୍ଭବ, ତାହା ଆମକୁ ହଜମ କରିବାକୁ ହେବ । ମଧ୍ୟବିତ୍ତମାନଙ୍କ ଚିତ୍ତରେ କେବଳ ରୋଗର ଭୟ ବଢୁଛି, ହେଲେ ଶ୍ରମିକମାନେ ଅନାହାରର ବୋଝ ମଧ୍ୟ ମୁଣ୍ଡେଇଛନ୍ତି। ଗୋଟିଏ ପାର୍ଶ୍ୱରେ ଦୀର୍ଘକାଳୀନ ଭୋକ ଉପାସରେ ଜୀବନର ଦିନ ଗଡୁଛି, ଆଉ ଗୋଟିଏ ଦିଗରେ ରୋଗ ଦୂରୀକରଣ ପାଇଁ ସରକାର ସେମାନଙ୍କୁ ବନ୍ଧକ ରଖିଚି। ଜୀବନ ବଞ୍ଚେଇବାକୁ କ’ଣ ଆମେ ସେମାନଙ୍କୁ ଠେଲିଦଉନେ ଅନ୍ୟ ଏକ ମୃତ୍ୟୁ ଆଡକୁ ?
ଅବଶ୍ୟ ପ୍ରଶ୍ନଟି ଏତେ ସରଳ ନୁହେଁ। କଲିକତାର ରାସ୍ତାରେ ଦୁଇ ଜଣ ଖଟିଖିଆଙ୍କ ସହିତ ଦେଖାହେଲି। ତନ୍ମଧ୍ୟରୁ ଜଣେ ‘କ୍ୱାରାଣ୍ଟାଇନ ସେଣ୍ଟର’ରୁ ବାହାରି ଆସିଥିଲେ। ପଚାରିବାରୁ କହିଲେ, ‘ସୁନା ପଞ୍ଜୁରିରେ ରଖି ଖାଇବାକୁ ଦେଉଛନ୍ତି ସତ, ହେଲେ ଖାଇ-ପିଇ ବସିଲେ କ’ଣ ହେବ? ଘରକୁ ଛାଡ଼ିଲେ ଆମେ ପରିବାର ସାଙ୍ଗରେ ଟିକେ ବସିଉଠି ପାରନ୍ତୁ!’ ପରେ ପୋଲିସର ଜଣେ ବଡ଼ବାବୁ ମୋତେ କହିଲେ, ‘ସହରର ସବୁଠାରୁ ବଡ଼ ବିବାହ ମଣ୍ଡପରେ ଏ.ସି. ଘରେ ରଖିଲେ ମଧ୍ୟ ସେମାନେ ଦୌଡ଼ି ପଳାଉଛନ୍ତି!’ ତେବେ ସରକାରର ଏହି ଫଇସଲା ଓ ଚିନ୍ତାଶୀଳତା, ଭାବର ଆଦାନ ପ୍ରଦାନକୁ ବୁଝିବାରେ ଅକ୍ଷମ ବୋଲି ଦର୍ଶାଏ। ସେମାନେ ଗରିବ ସତ, ଟଙ୍କା ରୋଜଗାରକୁ ପ୍ରାଧାନ୍ୟ ଦିଅନ୍ତି ତାହା ମଧ୍ୟ ସତ, ହେଲେ ବିପର୍ଯ୍ୟସ୍ତ ଅବସ୍ଥାରେ ମଣିଷର ପ୍ରେମ ଓ ସ୍ନେହର ଆବଶ୍ୟକତାକୁ କ’ଣ କେବଳ ଆବାସ ଓ ଖାଦ୍ୟ ଦୂର କରିଦେଇପାରିବ? ଚେତନାକୁ ଶକ୍ତି ରୂପରେ ବ୍ୟବହାର କରି ଭାବକୁ ଅନାଦର କରିବା ଆମର ମୂର୍ଖାମି ମାତ୍ର। ଶ୍ରମିକମାନଙ୍କର ଆକୁଳତାର ବୃଦ୍ଧି ସେମାନଙ୍କର ବ୍ୟସ୍ତତାର ବନ୍ଧଟି ଭାଙ୍ଗିବା ହେତୁ। ସେ ବନ୍ଧ ଭାଙ୍ଗିଲା କିପରି? ଉତ୍ତରଟି ଆମ ଆଡକୁ ବଲବଲ କରି ଅନାଇଛି- ଆମର ତାଙ୍କ ପ୍ରତି ବାରମ୍ବାର ଅଯତ୍ନଶୀଳ ବ୍ୟବହାର। ଯେଉଁ ସମୟରେ ସମସ୍ତେ ଘରେ ବାନ୍ଧି ହୋଇ ରହୁଛନ୍ତି, ସେହି ସମୟରେ ଆମେ ତାଙ୍କ ଘରକୁ ଫେରିବା ଇଚ୍ଛାକୁ ମାରିଦେଇ, ସୁରକ୍ଷାର ମିଛ ଜାମା ପିନ୍ଧେଇ ମୂକ ସାଜିଛୁ।
ଓଡ଼ିଶାକୁ ଆଗାମୀ କିଛି ଦିନ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଆସିବାର ଶୁଣି ଅନେକଙ୍କ ମୁଣ୍ଡରେ ଚଡ଼କ ପଡିଛି। କେନ୍ଦ୍ର ସରକାର ସେ ଦାୟିତ୍ୱ ଢାଳିଛନ୍ତି ରାଜ୍ୟ ସରକାରଙ୍କ ମୁଣ୍ଡରେ। ରାସ୍ତା ଘାଟରେ ଚର୍ଚ୍ଚା ଚାଲିଛି ଏହି କାରଣରୁ କ’ଣ ରୋଗ ବଢ଼ିବ? ଆମକୁ ବୁଝିବାକୁ ହେବ ଯେ ଶ୍ରମିକମାନଙ୍କୁ ଘରକୁ ଆଣିବା, ଖାଦ୍ୟର ସୁରକ୍ଷା ଦେବା ଓ ସାସ୍ଥ୍ୟସେବାର ବନ୍ଦୋବସ୍ତ ସରକାର ଓ ସମାଜର ଦାୟିତ୍ୱ ଆମେ ଲୋକଙ୍କୁ ଘୃଣା ଯେମିତି ନ କରୁ ରୋଗ ଦୂର କରିବା ଆଳରେ। ଅନ୍ତତଃ ଏହି ‘ଲକ୍‌-ଡାଉନ’ରେ ସବୁ ଯେତେବେଳେ ବନ୍ଦ, ଆମ ମଗଜର ଖୋଳଟା ଖୋଲୁ!

ଯାଦବପୁର ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ, ଇ-ମେଲ୍‌: abinash@riseup.net
ମୋ: ୭୯୭୮୭୫୭୨୪୩