ଅନିଲ ଜେନା ହତ୍ୟା ମାମଲା: ହତ୍ୟାକାରୀଙ୍କୁ ଖୋଜୁ ଖୋଜୁ ଧରାପଡ଼ିଲେ ଖଣି ମାଫିଆ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଫେରାର ହତ୍ୟାକାରୀଙ୍କୁ ଖୋଜୁ ଖୋଜୁ ଧରାପଡିଲେ ଜଣେ ଖଣି ମାଫିଆ। ସେ ହେଲେ ଖୋର୍ଦ୍ଧା କୁମାରବସ୍ତ ଅଞ୍ଚଳର ରାଜେଶ ବରାଳ ଓରଫ ପିଣ୍ଟା। ସେ ଖୋର୍ଦ୍ଧା ଚୋରା ପଥର ଚାଲାଣ ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ମୋଷ୍ଟଓ୍ବାଣ୍ଟେଡ୍‌ ଥିଲେ। ଖଣ୍ଡଗିରି ପୋଲିସ ତାଙ୍କୁ ଉଠାଇ ନେଇ ପଚରାଉଚରା କରିବାବେଳେ ତା’ର ଅସଲ ଚେହେରା ପଦାକୁ ଆସିଥିଲା। ପରେ ପୋଲିସ ତାଙ୍କୁ ଏସ୍‌ଟିଏଫ୍‌କୁ ହସ୍ତାନ୍ତର କରିଛି।
ପୋଲିସ ସୂଚନା ଅନୁଯାୟୀ, ବାହାଦଲପୁର ଅନିଲ ଜେନା ହତ୍ୟା ମାମଲାରେ ଫେରାର ଥିବା ଅଭିଯୁକ୍ତ ରାଜାଙ୍କୁ ଧରିବା ପାଇଁ ଖଣ୍ଡଗିରି ପୋଲିସ ପକ୍ଷରୁ ଚଢାଉ ଚାଲିଛି। ରାଜା ଲିଙ୍କ୍‌ରେ ରାଜେଶ ଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ବୁଧବାର ବିଳମ୍ବିତ ରାତିରେ ପୋଲିସ ରାଜେଶଙ୍କ ଘର ଉପରେ ଚଢ଼ାଉ କରି ତାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପଚରାଉଚରାବେଳେ ରାଜେଶ ବେଆଇନ ପଥର ଖଣି ଖନନ ଓ ଚୋରା ଚାଲାଣ ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଥିଲା। ପରେ ଖଣ୍ଡଗିରି ପୋଲିସ ଏସ୍‌ଟିଏଫ୍‌ ସହ ଯୋଗାଯୋଗ କରିଥିଲା। ଏସ୍‌ଟିଏଫ୍‌ ରାଜେଶଙ୍କୁ ନେଇ ପଚରାଉଚରା କରୁଛି। ଏହି ମାମଲାରେ ଜେଲରେ ଥିବା ଛୋଟା ଓ ଅନ୍ୟମାନଙ୍କ ପାଇଁ ରାଜେଶ କାମ କରୁଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି।
ନଭେମ୍ବର ୧୭ରେ ନିଶା କାରବାର ଓ ଭାଇ ଗିରିକୁ ନେଇ ସରକନ୍ତରା ଗ୍ରାମର ରାଜା, ଭରତ ରାଉତ ଓରଫ ବାପି, ଦୁର୍ଗା ପ୍ରସାଦ ସାହୁ ଓରଫ ହାପି ବାହାଦଲପୁର ଗ୍ରାମର ଅନିଲ ଜେନାଙ୍କୁ ଗୁଳିକରି ହତ୍ୟା କରିଥିଲେ। ଗତ ୨୪ ତାରିଖରେ ହାପି ଓ ବାପି ଗିରଫ ହୋଇଥିବାବେଳେ ରାଜା ଏବେବି ଫେରାର ଅଛନ୍ତି। ତାଙ୍କୁ ଧରିବାକୁ ପୋଲିସ ଟିମ୍‌ ଚଢ଼ାଉ ଜାରି ରଖିଛି। ହେଲେ ସେ କୌଣସି ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁ ନ ଥିବାରୁ ପୋଲିସ ତାଙ୍କୁ ଠାବ କରିବା କଷ୍ଟକର ହୋଇପଡୁଥିବା ଜଣେ ଅଧିକାରୀ କହିଛନ୍ତି।

Share