ଅନିଶ୍ଚିତତାରେ ଓକିଲ ସଂଘ ନିର୍ବାଚନ

କଟକ ଅଫିସ,୫।୫: ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବାରମ୍ବାର ନିର୍ବାଚନ ସ୍ଥଗିତ ହେବାରେ ଲାଗିଛି। ଆଗାମୀ ଦିନରେ ନିର୍ବାଚନ ହେବ କି ନାହିଁ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସମସ୍ତ ଓକିଲ ସଂଘକୁ ମଧ୍ୟବର୍ତ୍ତିକାଳୀନ କମିଟି ଗଠନ କରିବା ପାଇଁ ସୋମବାର ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ଆଇନଜୀବୀ ପରିଷଦର ସାଧାରଣ ସମ୍ପାଦକ ଜେ.କେ. ସାମନ୍ତସିଂହାରଙ୍କ କହିବାନୁଯାୟୀ, ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ପକ୍ଷରୁ ମଧ୍ୟବର୍ତ୍ତିକାଳୀନ କମିଟି ଗଠନ ପାଇଁ ନିର୍ଦ୍ଦେଶ ମିଳିଛି। ଫଳରେ ପରିଷଦର ସ୍ବତନ୍ତ୍ର କମିଟି ପକ୍ଷରୁ ମଧ୍ୟବର୍ତ୍ତିକାଳୀନ କମିଟି ଗଠନ ନେଇ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଓକିଲ ସଂଘର ଦୈନନ୍ଦିନ କାର୍ଯ୍ୟ ପାଇଁ ଏହି କମିଟି ଗଠନ ହେବାକୁ ଥିବାବେଳେ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ। କମିଟି ଗଠନ ବେଳେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌କୁ ଓକିଲ ସଂଘଗୁଡ଼ିକ ପାଳନ କରିବା ଆବଶ୍ୟକ। ଆସନ୍ତା ୨୦ ତାରିଖ ସୁଦ୍ଧା ଏହି କମିଟି ଗଠନ କରିବାକୁ ହେବ। ଯଦି କୌଣସି ଓକିଲ ସଂଘ ଏଥିରେ ବିଫଳ ହୁଅନ୍ତି, ତେବେ ଅବଧି ଶେଷ ହେବାର ସାତ ଦିନ ଭିତରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ମଧ୍ୟବର୍ତ୍ତିକାଳୀନ କମିଟି ଗଠନ କରାଯିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ହାଇକୋର୍ଟ ସହ ସମସ୍ତ ଓକିଲ ସଂଘର ନିର୍ବାଚନ ମାର୍ଚ୍ଚ ୨୮ ତାରିଖରେ ହେବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସ୍ଥିର ହୋଇଥିଲା। ହାଇକୋର୍ଟ ସମେତ ସମସ୍ତ ଓକିଲ ସଂଘ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏପରି କି ପ୍ରାର୍ଥିପତ୍ର ଦାଖଲ, ଯାଞ୍ଚ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। କିନ୍ତୁ ନିର୍ବାଚନ ପୂର୍ବରୁ କରୋନା ଭୂତାଣୁ ସଂକ୍ରମଣ ଯୋଗୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ମାର୍ଚ୍ଚ ୧୫ ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ମାର୍ଚ୍ଚ ୨୮ ତାରିଖ ବଦଳରେ ଏପ୍ରିଲ୍‌ ୨୫ ତାରିଖରେ ଭୋଟ୍‌ ଗ୍ରହଣ ହେବ ବୋଲି ସ୍ଥିର କରାଯାଇଥିଲା। କିନ୍ତୁ ଏପ୍ରିଲ୍‌ ୧୫ ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆଉ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ଓକିଲ ସଂଘର ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ଘୋଷଣା କରାଯାଇଥିଲା।

Share