Categories: ମେଟ୍ରୋ

ଅନିଶ୍ଚିତତା ମଧ୍ୟରେ ହାତଲେଖା କଳାକାରଙ୍କ ଭବିଷ୍ୟତ

ଭୁବନେଶ୍ୱର, ୨୮।୬ବ୍ୟୁରୋ) : ହାତଲେଖା କଳାକାରମାନେ ରଙ୍ଗ ତୁଳୀ ଧରି ହାତରେ ନିଜର କଳା ପ୍ରଦର୍ଶନ କରୁଥିଲେ। ହେଲେ ଫ୍ଲେକ୍ସ ଆସିବା ପରଠାରୁ ସେମାନଙ୍କ ସ୍ଥିତି ଦୋହଲି ଯାଇଛି। ସମୟାନୁକ୍ରମେ ଲୋକମାନଙ୍କ ହସ୍ତକଳା ପ୍ରତି ଆଦର ହ୍ରାସ ପାଇବାରେ ଲାଗିଛି। ନମ୍ବର ପ୍ଲେଟ ଡିଜାଇନ୍‌ କରିବା ଅଥବା ବାହାଘର ବେଳେ କାନ୍ଥରେ ଚିତ୍ରକଳା କରି ସେମାନେ ନିଜର ପେଟ ପୋଷୁଥିଲେ। ହେଲେ ଏହି କାରିଗରଙ୍କୁ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି। ନମ୍ବର ପ୍ଲେଟ ଡିଜାଇନ୍‌ କେବଳ ଜଣେ ଭେଣ୍ଡର କରିପାରିବ ବୋଲି ନିର୍ଦ୍ଦେଶ ଦେବା ପରେ ୨୫ ହଜାର କଳାକାର ଓ ତାଙ୍କ ପରିବାରର ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ରାଜ୍ୟ ହାତଲେଖା କଳାକାର ସଂଘ ଓ ଓଡ଼ିଶା ନମ୍ବର ପ୍ଲେଟ ଷ୍ଟିକର ଆର୍ଟିଷ୍ଟ ଆସୋସିଏଶନ ପକ୍ଷରୁ ସୂଚନାଭବନଠାରେ ‘ସାମ୍ପ୍ରତିକ ସ୍ଥିତିରେ ହାତଲେଖା କଳାକାର ଓ ନମ୍ବର ପ୍ଲେଟ ଷ୍ଟିକର ଆର୍ଟିଷ୍ଟଙ୍କ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ରରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଧାୟକ ସୁରେଶ କୁମାର ରାଉତରାୟ, ଖବରଦାତା ପ୍ରଦ୍ୟୁମ୍ନ ଶତପଥୀ, ସାମାଜିକ କର୍ମୀ ସସ୍ମିତା ଦାସ, କିନ୍ନର ସଂଘ ସଭାପତି ମୀରା ପରିଡ଼ା, ଖବରଦାତା ବିଭୂତି ଭୂଷଣ କର, ଲିଙ୍ଗରାଜ ସାହୁ, ସାମାଜିକ କର୍ମୀ ଶଶାଙ୍କଶେଖର ନାୟକ ମତ ରଖିଥିଲେ। ଏହି ଅବସରରେ ଓଡ଼ିଶା ନମ୍ବର ପ୍ଲେଟ ଆଣ୍ଡ ଷ୍ଟିକର ଆସୋସିଏଶନ ଭୁବନେଶ୍ୱର ସମେତ ଭବାନୀପାଟଣାର ଶ୍ୟାମ ଆର୍ଟ କ୍ଷୀରସିନ୍ଧୁ ସାହୁ, ପୋଲିସ୍‌ ଅଧିକାରୀ କୈଳାସ ନାୟକ, ଅଭିନେତା ଜଗବନ୍ଧୁ ପଣ୍ଡା, ଖବରଦାତା ଦୁଷ୍ମନ୍ତ ବେହେରା, ସମାଜିକ କର୍ମୀ ବିନ୍ଦାସ ଚିନୁ, ଧୀରେନ ରାଉତରାୟ, ଅମ୍ବିକା ମହାରଣା, ମେଘନା ସାହୁ, ଖବରଦାତା ସ୍ଥିତପ୍ରଜ୍ଞ ମିଶ୍ରଙ୍କୁ ‘କଳା ଓ କଳାକାର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ରାଜ୍ୟ ହାତଲେଖା କଳାକାର ସଂଘର ପ୍ରତିଷ୍ଠାତା ନାରାୟଣ ଓଝା ସଭାପତିତ୍ୱ କରିଥିଲେ। ରାଜ୍ୟ ସଭାପତି ଶିବଶଙ୍କର ଡାକୁଆ ଧନ୍ୟବାଦ ଦେଇଥିଲେ।

Share