ଢେଙ୍କାନାଳ ଅଫିସ, ୨୭।୪: ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରା ପାଇଁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ରଥକାଠ ଅନୁକୂଳ ହୋଇଛି। ଏହି ଉପଲକ୍ଷେ ମହାପ୍ରଭୁ ଶ୍ରୀବଳରାମଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ନୀତିକାନ୍ତି, ପୂଜାର୍ଚ୍ଚନା କରାଯାଇଥିଲା। ପୂଜାପଣ୍ଡା ମଳୟ ରଞ୍ଜନ କର ଠାକୁରଙ୍କ ଆଜ୍ଞାମାଳ ନେଇ ରଥଗଡ଼ାରେ ରଥକାଠ ଅନୁକୂଳ କରିଥିଲେ। ଏହାପରେ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ନୀତି ମନ୍ଦିର ବେଢ଼ାରେ ଅନୁଷ୍ଠିତ ହୋଇଥିଲା। ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୁଖ୍ୟ କିରାଣି ରାଧାନାଥ ରଥ, ମନ୍ଦିର ଜିମାଦାର ବସନ୍ତ କୁମାର ରଥ ପ୍ରମୁଖ ସାମାଜିକ ଦୂରତାକୁ ରକ୍ଷାକରି ମନ୍ଦିରରେ ଶ୍ରୀଜୀଉଙ୍କ ନୀତିକାନ୍ତି କରିଥିଲେ।
ଚଳିତ ବର୍ଷ କରୋନା ପ୍ରକୋପ କାରଣରୁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏ ଯାଏ ରଥଯାତ୍ରା ସମ୍ପର୍କିତ କୌଣସି ନିଷ୍ପତ୍ତି ହୋଇ ନ ଥିବା ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ମିଳିଛି।