Advertisement

ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ: ଦୁଇ ଜୀବନ ଗଲା ପରେ ଖୋଲିଲା ସ୍ବତନ୍ତ୍ର ୱାର୍ଡ

ଅନୁଗୋଳ ଅଫିସ, ୨୬।୪-  ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ। ହଠାତ୍‌ ଏଭଳି ମାରାତ୍ମକ ରୋଗ ଆସିବା ଓ ଦୁଇ ଜଣଙ୍କ ଜୀବନ ନେବା ପରେ ସହରବାସୀ ଛାନିଆ ହୋଇପଡ଼ିଛନ୍ତି। ତେବେ ଅନୁଗୋଳରେ ଏପରି ରୋଗ ସମ୍ପର୍କରେ ମେଡିକାଲ–କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସ୍ପଷ୍ଟ ସୂଚନା ନାହିଁ। କେବଳ ଶୁଣିବାକୁ ପାଇଛନ୍ତି ବୋଲି ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀଧର ବିଶୋଇ କହିଛନ୍ତି।
୨୦୧୭ରେ ଅନୁଗୋଳ ଜିଲାରେ ସ୍ବାଇନ ଫ୍ଲୁ ନେଇ ସାଧାରଣରେ ଭୟ ସୃଷ୍ଟି ହୋଇଥିଲା। କିନ୍ତୁ ଏଥିରେ କେହି ଜଣେ ବି ଆକ୍ରାନ୍ତ ହୋଇ ନ ଥିଲେ। ଚଳିତବର୍ଷ ଏହି ରୋଗରେ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଘର ଜିଲା ବାହାରେ ହୋଇଥିବାବେଳେ ସେମାନେ ଅନୁଗୋଳ ସହରାଞ୍ଚଳରେ ରହୁଥିଲେ। ଚଳିତ ସାଧାରଣ ନିର୍ବାଚନ ପାଇଁ ବରଗଡ଼ ଯାଇଥିବା ସ୍ବାମୀ ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଅନୁଗୋଳର ଏକ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ରକ୍ତ ପରୀକ୍ଷା ପରେ ସେ ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଘଟଣାର ୨ ଦିନ ପରେ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଏହା ଜଣାପଡ଼ିବା ପରେ ଜିଲା ମେଡିକାଲ କର୍ତ୍ତୃପକ୍ଷ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଇଥିବା ସୂଚନା ମିଳିିଛି। ଅନ୍ୟପକ୍ଷରେ ମେଡିକାଲରେ ଏକ ସ୍ପେଶାଲ ୱାର୍ଡ ଖୋଲାଯାଇଛି। କିନ୍ତୁ ସହରବାସୀଙ୍କୁ ଏ ନେଇ ସଚେତନ କିମ୍ବା ସତର୍କ କରାଯାଇ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଅନୁଗୋଳ ଏଡିଏମ୍‌ଓ ହେଲ୍‌ଥ ରାଜେଶ ସାହୁ କହିଛନ୍ତି, ମୃତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୯ ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଲୋକଙ୍କ ପାଇଁ ପ୍ରିଭେଣ୍ଟିଭ ମଗାଯାଇଛି। ଖୁବ୍‌ଶୀଘ୍ର ଏହି ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ  କରାଯିବ। ତେବେ ଡାକ୍ତର ଓ କର୍ମଚାରୀମାନଙ୍କୁ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଏଡିଏମ୍‌ଓ ମେଡିକାଲ ବିଶୋଇ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share