ଅନୁଗୋଳ ଅଫିସ, ୩୦।୯: ଅନୁଗୋଳ ଟ୍ରକ ଆସୋସିଏଶନ୍ ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏଶନ୍ର ନବନିର୍ବାଚିତ ଉପସଭାପତି ଅକ୍ଷୟ କୁମାର ସାମନ୍ତଙ୍କୁ ରବିବାର ଅପରାହ୍ନରେ ସମ୍ବର୍ଦ୍ଧିତ କରାଯାଇଛି। ଟ୍ରକ ଆସୋସିଏଶନ୍ ସଭାପତି ବିଭୂତି ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାକୁ ସଂଗ୍ରାମ ରଞ୍ଜନ ଦାସ ପରିଚାଳନା କରିଥିଲେ। ଏହି ଅବସରରେ ସାମନ୍ତ କହିଥିଲେ ଯେ, ଭଗବାନଙ୍କ ଆଶୀର୍ବାଦରୁ ଏହି ପଦବୀ ମିଳିଛି। ଅନୁଗୋଳରେ କ୍ରିକେଟ ଏକାଡ଼େମୀ କରିବା ସହ ଏହାର ଭିତ୍ତିଭୂମି ବିକାଶ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଅନୁଗୋଳ ସହ ଢେଙ୍କାନାଳ, ଦେବଗଡ଼, ବୌଦ୍ଧ, ସୋନପୁର ଓ କେନ୍ଦୁଝରର ପ୍ରତିଭାଙ୍କୁ ନେଇ ଏହି ଏକାଡେମୀ ଚାଲିବ ବୋଲି ସେ କହିଥିଲେ। ଏକାଡେମୀ ପାଇଁ ଆବଶ୍ୟକ ଜାଗା ନିମନ୍ତେ ସ୍ଥାନୀୟ ଜନପ୍ରତିନିଧି, ବିଧାୟକ, ଏମ୍ପି, ପ୍ରଶାସନ ଓ କ୍ରୀଡ଼ାପ୍ରେମୀଙ୍କ ସହଯୋଗ ଲୋଡାଯିବ। ଗ୍ରାମାଞ୍ଚଳଠାରୁ ସବୁସ୍ତରରେ ପ୍ରତିଭାଙ୍କୁ ଅନ୍ବେଷଣ କରାଯିବ। ପୂର୍ବରୁ ଅନୁଗୋଳରେ ଗୋଟିଏ ମାତ୍ର ରଣଜୀ ମ୍ୟାଚ ଖେଳାଯାଇଥିଲା। ଏହାପରେ ଆଉ ଅନୁଗୋଳରେ ସେଭଳି କୌଣସି ଜାତୀୟ ମ୍ୟାଚ ଆୟୋଜନ କରାଯାଇ ନାହିଁ। ଅନୁଗୋଳରେ ରାଜ୍ୟ ଓ ଜାତୀୟ ସ୍ତରର ମ୍ୟାଚ କରିବାକୁ ଉଦ୍ୟମ କରାଯିବ ବୋଲି ଉପସଭାପତି ସାମନ୍ତ କହିଛନ୍ତି। ସଭାରେ ଟ୍ରକ ଆସୋସିଏଶନ ସଭାପତି ଦାସଙ୍କ ସହ ଉପସଭାପତି ପ୍ରମୋଦ କୁମାର ପ୍ରଧାନ, ଅଶୋକ କୁମାର ଦଳବେହେରା, ଉପଦେଷ୍ଟା ସତ୍ୟାନନ୍ଦ ଦଳବେହେରା, ଯୁଗ୍ମ ସମ୍ପାଦକ ସଞ୍ଜୀବ କୁମାର ସ୍ବାଇଁ, ଉପେନ୍ଦ୍ର କୁମାର ସାମଲ, ଉପତ୍ଳ କୁମାର ଦାସ, ସରୋଜ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ପାଢ଼ୀଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।