Categories: ରାଜ୍ୟ

ଅନୁଗୋଳରେ ବର୍ଷା, ଲୋକେ ଆଶ୍ୱସ୍ତ: ଭିଜିଲା ଶୁଖିଲା କ୍ଷେତ

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳରେ ଗୁରୁବାର ମଧ୍ୟାହ୍ନରେ ୨ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହୋଇଛି। ଏଥିଯୋଗୁ ଲାଗି ରହିଥିବା ଗରମ ଗୁଳୁଗୁଳିରୁ ସହରବାସୀ ମୁକ୍ତି ପାଇଥିବାବେଳେ ଶୁଖିଲା କ୍ଷେତ ଭିଜିବା ଖୁସିରେ ଚାଷୀ ଆଶ୍ୱସ୍ତ ହୋଇଛନ୍ତି। ମଧ୍ୟାହ୍ନ ୨ଟାରୁ ଦୁଇ ଘଣ୍ଟା ଧରି ଜୋରରେ ବର୍ଷା ହୋଇଥିଲା। ଏହାପରେ ରାତି ପର୍ଯ୍ୟନ୍ତ ଝିପ୍‌ ଝିପ୍‌ ବର୍ଷା ଲାଗି ରହିଥିଲା। ଏ ନେଇ ଚାଷୀମାନଙ୍କ ମଧ୍ୟରେ ଚାଷ ପାଇଁ ଆଶା ସଞ୍ଚାର ହୋଇଛି। ୪ରୁ ୫ ଦିନ ଲଗାଣ ବର୍ଷା ହେଲେ ଚାଷ କାର୍ଯ୍ୟରେ କୌଣସି ବାଧା ଉପୁଜିବ ନାହିଁ ବୋଲି ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଅନୁଗୋଳ ଜିଲାର ଆଠମଲ୍ଲିକ, କଣିହଁା, ତାଳଚେର, ବଅଁରପାଳ, ଅନୁଗୋଳ, ଛେଣ୍ଡିପଦା ଓ କିଶୋରନଗର ବ୍ଲକରେ ମରୁଡ଼ି ପରିସ୍ଥିତି ଉପୁଜିଥିଲା। ଜୁନ୍‌ ମାସରେ ଆଶା ଅନୁଯାୟୀ ବର୍ଷା ହୋଇ ନ ଥିବାବେଳେ ଜୁଲାଇ ମାସ ଅଧା ପର୍ଯ୍ୟନ୍ତ ମଧ୍ୟ ବର୍ଷାର ଦେଖା ନ ଥିଲା। ଏଥିଯୋଗୁ ଚାଷ କାର୍ଯ୍ୟ ଅଟକି ଯାଇଥିଲା। ଏବେ ଜମିରେ ପାଣି ପଡ଼ିବାରୁ ଚାଷୀମାନେ କ୍ଷେତରେ ସାର ପକା କାର୍ଯ୍ୟ ଆରମ୍ଭ କରିବେ। ଜିଲାରେ ଆବଶ୍ୟକ ମୁତବକ ୟୁରିଆ ମହଜୁଦ ଥିବା ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୁହାଯାଇଛି। ଜିଲାରେ ୫ହଜାର ୫ଶହ ମେଟ୍ରିକ ଟନ୍‌ ୟୁରିଆ ସାର ଆବଶ୍ୟକ ପଡ଼ୁଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲାରେ ଅଢ଼େଇରୁ ୩ ହଜାର ମେଟ୍ରିକ୍‌ ଟନ୍‌ ସାର ମହଜୁଦ୍‌ ରହିଛି। ସେହିପରି ଜିଲାରେ ବର୍ତ୍ତମାନ ସୁଦ୍ଧା ୧୪ ହଜାର ୯୮୨ ଜଣ ଅଣଋଣୀ ଚାଷୀ ସେମାନଙ୍କ ନାମ ପଞ୍ଜୀକୃତ କରିଥିବା ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ୪ ହଜାର ୫୪୨ ଅଣଋଣୀ ଚାଷୀ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ସାମିଲ ହୋଇଥିଲେ। ଚଳିତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହୋଇଥିବା ଚାଷୀମାନେ ହେକ୍ଟର ପିଛା ୧୨ଶହ ୩ଟଙ୍କା ୮୦ ପଇସା ହିସାବରେ ସାମିଲ କରାଯାଇଥିବା ସୂଚନା ମିଳିଛି।

Share