ଅନୁଗୋଳରେ ମୃଦୁ ଭୂକମ୍ପ, ସହରବାସୀ ଭୟଭୀତ

ଅନୁଗୋଳ ଅଫିସ, ୨୭।୮- ଅନୁଗୋଳର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ୨ରୁ ୩ ସେକେଣ୍ଡ ପାଇଁ ହୋଇଥିବା ଏହି ଭୂକମ୍ପରେ କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଖବର ମିଳି ନ ଥିଲେ ବି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଭୂକମ୍ପ ଅନୁଭବ କରିବା ମାତ୍ରେ ଘରଛାଡ଼ି ଲୋକମାନେ ବାହାରକୁ ଚାଲିଆସିଥିଲେ। ତେବେ ଏହାର ତୀବ୍ରତା କେତେ ଥିଲା ସେ ସମ୍ପର୍କରେ ପ୍ରଶାସନ ନିକଟରୁ ଅଦ୍ୟାବଧି କୌଣସି ସୂଚନା ମିଳିପାରି ନାହିଁ। ଜିଲାର ବହୁ ସ୍ଥାନରେ କୋଇଲା ଖଣି ଥିବାରୁ ସାମାନ୍ୟ ଭୂକମ୍ପ ମଧ୍ୟ ଜିଲାରେ ବଡ ଅଘଟଣ ଘଟାଇ ପାରେ ବୋଲି ବୁଦ୍ଧିଜୀବୀମାନେ ଅନୁମାନ କରିଛନ୍ତି।