ଅନୁଗୋଳରେ ଲଜ୍ଜା: ଶୋଇଥିବା ବେଳେ ଉଠାଇନେଇ ୮ ବର୍ଷର ନାବାଳିକାଙ୍କୁ ବଳାତ୍କାର, ମୃତ ଭାବି ଅଳିଆ ଗଦାରେ ଫିଙ୍ଗିଲେ

ଅନୁଗୋଳ ଅଫିସ,୨୧।୭: ଅନୁଗୋଳ ଥାନା ଅଞ୍ଚଳରେ ଜନୈକ ୮ ବର୍ଷର ନାବାଳିକାଙ୍କୁ ଶନିବାର ରାତିରେ ବଳାତ୍କାର ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ବୃତ୍ତ ତାଙ୍କୁ ମୃତ ଭାବି ଅଳିଆ ଗଦାରେ ଫିଙ୍ଗି ଚାଲି ଯାଇଥିଲେ। ରବିବାର ସକାଳେ ତାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜିଆଇଜି ନରସିଂହ ବଳ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ, କିଛି ଯାଯାବର ପରିବାର ଅନୁଗୋଳ ସହରକୁ କାମ କରିବା ଲାଗି ଆସି ରହୁଛନ୍ତି। ଶନିବାର ରାତିରେ ବର୍ଷା ହେଉଥିବାରୁ ନାବାଳିକାଙ୍କ ସହ ତାଙ୍କ ପରିବାର ଏକ ଦୋକାନ ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇ ମାରପିଟ୍‌ କରିବା ସହ ବଳାତ୍କାର କରିଥିଲେ। ପରେ ସେ ମୃତ ହୋଇଯାଇଥିବା ସନ୍ଦେହ କରି ଏକ ଅଳିଆ ଗଦାରେ ନାବାଳିକାଙ୍କୁ ଫିଙ୍ଗି ଫେରାର ହୋଇଯାଇଥିଲେ। ସକାଳେ ପରିବାରଲୋକେ ଝିଅକୁ ଖୋଜାଖୋଜି କରିବା ପରେ ଅଳିଆ ଗଦାରେ ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରୁଛି।

Share