ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରକୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ରାଷ୍ଟ୍ରୀୟ କୃଷି ବିଜ୍ଞାନ ପ୍ରୋତ୍ସାହନ ପୁରସ୍କାର

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରକୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ରାଷ୍ଟ୍ରୀୟ କୃଷି ବିଜ୍ଞାନ ପ୍ରୋତ୍ସାହନ ପୁରସ୍କାର ମିଳିଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଟାରି ଜୋନ୍‌-୫ର ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର ଭାବେ ଏହି କେନ୍ଦ୍ରକୁ ସମ୍ମାନିତ କରାଯାଇଛି। ପରିଷଦର ୯୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କଠାରୁ ଓୟୁଏଟି କୁଳପତି ଡ. ପବନ କୁମାର ଅଗ୍ରୱାଲ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଅନୁଗୋଳର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ବିନୀତା ଶତପଥୀ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ ନବପ୍ରବର୍ତ୍ତକଙ୍କର ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଯେଉଁଥିରେ ଓଡ଼ିଶାର ୧୦ ଜଣ ଅଗ୍ରଣୀ କୃଷକ ଭାଗ ନେଇ ନିଜ ଦ୍ୱାରା ବିକଶିତ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରିଥିଲେ। ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠାନ ହେବା ଦିନଠାରୁ ଚାଷୀ ଓ ଚାଷର ଉନ୍ନତି ପାଇଁ କାମ କରି ଆସୁଅଛି। ଏହା ଅନୁଗୋଳ ଜିଲାରେ ଫସଲ ବିବିଧିକରଣରେ ଡାଲିଜାତୀୟ ଏବଂ ତୈଳବୀଜ ଫସଲର ଉପତ୍ାଦିକା ବୃଦ୍ଧି ସହ ଧାନ ଚାଷ ପରବର୍ତ୍ତୀ ଖାଲି ଜମିରେ ଚାଷର ପ୍ରସାର ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଛି। ସୂଚନାଯୋଗ୍ୟ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଜୋନ୍‌-୫ରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୫୯ଟି କୃଷି ବିଜ୍ଞାନ କେନ୍ଦ୍ର ଅନ୍ତର୍ଭୁକ୍ତ। ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏହି ଉତ୍ସବରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଡାଇରେକ୍ଟର ଜେନରାଲ ଡ. ତ୍ରିଲୋଚନ ମହାପାତ୍ର, ଜୋନ୍‌ ୫ର ମୁଖ୍ୟ ଡ. ଏସ୍‌. ଏସ୍‌. ସିଂ, ଓୟୁଏଟି କୃଷି ସଂପ୍ରସାରଣ ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।

Share