ଅନୁଗୋଳ ଅଫିସ, ୨୯।୮: ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ଅନୁଗୋଳ ଜିଲାରେ ବାଟବଣା ହୋଇଥିବା ଚର୍ଚ୍ଚା ଜୋର ଧରିଛି। କାରଣ ଡିପାର୍ଟମେଣ୍ଟାଲ ପ୍ରମୋଶନ କମିଟି (ଡିପିସି) ବୈଠକ ବସିବାର ଦୀର୍ଘଦିନ ପରେ ମଧ୍ୟ ଫାଇଲ ଅନୁମୋଦନ ପାଇଁ ଆସିପାରୁ ନାହିଁ। ଉକ୍ତ ଫାଇଲ ଡିପିସି ଅଧ୍ୟକ୍ଷ ତଥା ଜିଲାପାଳଙ୍କ ନିକଟରେ ସପ୍ତାହକ ମଧ୍ୟରେ ପହଞ୍ଚିବା କଥା। କିନ୍ତୁ ଗତ ଜୁଲାଇ ୧୧ରେ ବୈଠକ ବସିଥିବା ବେଳେ ମାତ୍ର ୪/୫ଦିନ ତଳେ ଉକ୍ତ ଫାଇଲ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଟେବୁଲରେ ପହଞ୍ଚିବା ସହ ଅନୁମୋଦନ ଲାଭ କରିଛି। ସେହିପରି ପଦୋନ୍ନତି ପୋଷ୍ଟିଂ ଫାଇଲ ମଧ୍ୟ ଏଯାଏ ଜିଲାପାଳଙ୍କ ପାଖକୁ ଆସି ନ ଥିବାରୁ କର୍ମଚାରୀମାନଙ୍କୁ ନୂତନ ସ୍ଥାନକୁ ପଠାଯାଇ ପାରୁ ନାହିଁ। ଅନ୍ୟପକ୍ଷରେ ପଦୋନ୍ନତିି ପାଇଥିବା କର୍ମଚାରୀମାନେ ନିଜ ପୂର୍ବ ସ୍ଥାନ ଅର୍ଥାତ୍ ହୋମ ଷ୍ଟେଶନରେ ରହିବାକୁ ବରିଷ୍ଠ ଅଧିକାରୀଙ୍କ ନିକଟରେ ଲବି ଚଳାଇଥିବା ଆଲୋଚନା ହେଉଛି।
ସୂଚନା ଅନୁଯାୟୀ, ଡିପିସି କମିଟି ଅଧ୍ୟକ୍ଷ ଦାୟିତ୍ୱରେ ଜିଲାପାଳ ରହିଥିବା ବେଳେ ଏଥିରେ ଅତିରିକ୍ତ ଜିଲାପାଳ, ଉପଜିଲାପାଳ ଓ ଜିଲା ମଙ୍ଗଳ ଅଧିକାରୀ ସଦସ୍ୟ ରହିଛନ୍ତି। କିନ୍ତୁ ଜୁଲାଇ ୧୧ ବୈଠକ ପରେ ଫାଇଲ ଏତେଦିନ କେଉଁଠି ରହିଲା ତାହା କେହି କହିପାରୁ ନାହାନ୍ତି। ବହୁ ବିଳମ୍ବରେ ଆସିଥିବା ଉକ୍ତ ଫାଇଲରେ ମୋହର ମରାଯିବା ପରେ ପଦୋନ୍ନତି ପାଇଥିବା କର୍ମଚାରୀଙ୍କ ପୋଷ୍ଟିଂ ଫାଇଲ ଜିଲାପାଳଙ୍କ ନିକଟକୁ ଅନୁମୋଦନ ପାଇଁ ଆସିବା କଥା। ହେଲେ ତାହା ମଧ୍ୟ ଏଯାଏ ଆସିପାରି ନାହିଁ। ଫଳରେ ପଦୋନ୍ନତି ପାଇ କନିଷ୍ଠରୁ ବରିଷ୍ଠ କିରାଣି ହୋଇଥିବା ୨୩ କର୍ମଚାରୀ ଓ ଅମିନରୁ ଆରଆଇକୁ ପଦୋନ୍ନତି ପାଇଥିବା ୭ କର୍ମଚାରୀଙ୍କୁ ପୋଷ୍ଟିଂ ସ୍ଥାନକୁ ପଠାଯାଇ ପାରୁନାହିଁ। ଇତିମଧ୍ୟରେ ସମ୍ପୃକ୍ତ କର୍ମଚାରୀଙ୍କ ମଧ୍ୟରୁ କେତେଜଣ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପଇଁତରା ମାରିବା ସହ ହୋମ୍ ଷ୍ଟେଶନରେ ରହିବାକୁ ବରିଷ୍ଠ ଅଧିକାରୀଙ୍କ ନିକଟରେ ଲବି ଚଳାଇଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ଜିଲାପାଳ କହିଛନ୍ତି, ପଦୋନ୍ନତି ପାଇଥିବା କର୍ମଚାରୀଙ୍କ ତାଲିକା ଓ ନିଯୁକ୍ତି ସମ୍ପର୍କିତ ଫାଇଲ ଏଯାଏ ଆସିନାହିଁ। ଯଦି କୌଣସି କର୍ମଚାରୀ ନିଜ ଷ୍ଟେଶନରେ ରହିବାକୁ ଲବି କରୁଛନ୍ତି ତାହା ସମ୍ଭବ ନୁହେଁ। ପଦୋନ୍ନତି ପାଇଥିବା କର୍ମଚାରୀମାନେ ଅନ୍ୟତ୍ର ବଦଳି ହୋଇଯିବେ। ଏ ନେଇ ଅନୁଧ୍ୟାନ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।