ଅନୁଗୋଳ ତହସିଲ କାର୍ଯ୍ୟାଳୟରେ ଜିଲାପାଳ:ବକେୟା କାର୍ଯ୍ୟ ଶୀଘ୍ର ସାରିବାକୁ ତାଗିଦ

ଅନୁଗୋଳ ଅଫିସ, ୨।୯

ରବିବାର ରାତିରେ ଖୋଲାଥିବା ଅନୁଗୋଳ ତହସିଲ କାର୍ଯ୍ୟାଳୟରୁ ଫାଇଲ ନେଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି ସୋମବାର ପୂର୍ବାହ୍ନରେ ଉକ୍ତ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ଅନେକ ସମୟରେ ତହସିଲଦାର ଅଫିସରେ ରହୁ ନ ଥିବାରୁ ଜିଲାପାଳ ବିରକ୍ତି ପ୍ରକାଶ କରିବା ସହ ଲୋକଙ୍କ ସମସ୍ୟା ଠିକଣା ସମୟରେ ସମାଧାନ କରାଯାଉ ନ ଥିବାରୁ କର୍ମଚାରୀଙ୍କ ଉପରେ ବର୍ଷିଥିଲେ। ୧୫ ଦିନ ମଧ୍ୟରେ ପଡ଼ି ରହିଥିବା କାର୍ଯ୍ୟ ଶେଷ କରିବାକୁ ଜିଲାପାଳ ସମସ୍ତଙ୍କୁ ତାଗିଦ କରିଥିଲେ।
ପୂର୍ବାହ୍ନ ସାଢ଼େ ୧୦ଟାରେ ଜିଲାପାଳ ମହାନ୍ତି ଓ ଉପଜିଲାପାଳ ବାସୁଦେବ ଶତପଥୀ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ପ୍ରଥମେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ତାଙ୍କ ପ୍ରକୋଷ୍ଠରେ ବିଭିନ୍ନ ପ୍ରଶ୍ନ କରିଥିଲେ। ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ଦାୟିତ୍ୱରେ ନିୟୋଜିତ କରାଯାଉଥିବା, ଏପରି କି ସରକାରୀ କାର୍ଯ୍ୟରେ ଜିଲା ବାହାରକୁ ପଠାଯାଉଥିବାରୁ ସେ ଅଧିକ ସମୟ ଅଫିସରେ ରହିପାରୁ ନ ଥିବା ତହସିଲଦାର ସଫେଇ ଦେବାରୁ ଜିଲାପାଳ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ଜିଲାପାଳ କହିଥିଲେ, ଯେଉଁ କାର୍ଯ୍ୟରେ ରହିଲେ ବି ଲୋକଙ୍କ କାର୍ଯ୍ୟ ଆଗ କର। ସେମାନଙ୍କ ସମସ୍ୟା ବୁଝ। କୌଣସି ଲୋକ ଅସୁବିଧାର ସମ୍ମୁଖୀନ ହେବା ବରଦାସ୍ତ କରାଯିବ ନାହିଁ। ଏହାପରେ ମିଉଟେଶନ୍‌, ରେକର୍ଡ ରୁମ୍‌, ରେଭିନ୍ୟୁ, ଓଡ଼ିଶା ଭୂ ସଂସ୍କାର ଆଇନ୍‌, ନ୍ୟାୟିକ ବିଭାଗ ଆଦିର କର୍ମଚାରୀଙ୍କୁ ଡାକି ଜିଲାପାଳ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରିଥିଲେ। ଯେଉଁ ବିଭାଗରେ କାର୍ଯ୍ୟ ଠିକ୍‌ ହୋଇନାହିଁ ତାହାର ସମାଧାନ କରିବାକୁ ଜିଲାପାଳ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୬ ଜଣ କର୍ମଚାରୀ କମ୍ପ୍ୟୁଟରରେ କାର୍ଯ୍ୟ ପରିଚାଳନା ଜାଣି ନ ଥିବାରୁ ଜିଲାପାଳ ଅସନ୍ତୋଷ ପ୍ରକାଶ ସହ ତୁରନ୍ତ କମ୍ପ୍ୟୁଟର ନ ଶିଖିଲେ ବର୍ଦ୍ଧିତ ଦରମା ବନ୍ଦ କରାଯିବ ବୋଲି ତାଗିଦ କରିଥିଲେ। ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ର ସମ୍ପର୍କରେ ତହସିଲଦାର ଓ କର୍ମଚାରୀଙ୍କୁ ଜଣାଇବା ସହ ଲୋକଙ୍କ ସମସ୍ତ ସମସ୍ୟା ସମାଧାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।

Share