Categories: ରାଜ୍ୟ

ଅନୁଗୋଳ ପୌର କାର୍ଯ୍ୟାଳୟରେ ଜିଲାପାଳ: ସଫେଇ ସାର୍ଟିଫିକେଟ ଆଣିବାକୁ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୩୦।୫: ଅନୁଗୋଳ ପୌରାଞ୍ଚଳରେ ପରିମଳ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଶାସକ ତଥା ଜିଲାପାଳ ମନୋଜ କୁମାର ମହାନ୍ତି। ବୁଧବାର ଜିଲାପାଳ ପୌର କାର୍ଯ୍ୟାଳୟରେ ପହଞ୍ଚି ସଫେଇ ଓ କର୍ମଚାରୀଙ୍କ ଉପସ୍ଥାନ ଯାଞ୍ଚ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ଓ୍ବାର୍ଡଗୁଡ଼ିକ ଠିକ୍‌ ଭାବେ ସଫେଇ ହେଉଛି କି ନାହିଁ ଏଣିକି ସେ ସମ୍ପର୍କରେ ଲୋକଙ୍କଠାରୁ ଦସ୍ତଖତ ସମ୍ବଳିତ ସାର୍ଟିଫିକେଟ୍‌ ଆଣିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।ସହରର ପରିମଳ ବ୍ୟବସ୍ଥା କାହିଁକି ଠିକ୍‌ ହେଉନାହିଁ ଓ କେଉଁଠି ସମସ୍ୟା ରହୁଛି ସେ ସମ୍ପର୍କରେ ଜିଲାପାଳ ପୌରନିର୍ବାହୀ ଅଧିକାରୀଙ୍କୁ ପଚାରିଥିଲେ। ଏଥିସହ ପ୍ରତ୍ୟେକ ୱାର୍ଡର ସୁପରଭାଇଜର କ’ଣ କରୁଛନ୍ତି ବୋଲି ଜିଲାପାଳ ପ୍ରଶ୍ନ କରିଥିଲେ। ଏଣିକି ପ୍ରତି ୱାର୍ଡରେ ନିୟୋଜିତ ସୁପରଭାଇଜର ଦୈନିକ ସକାଳୁ ସେମାନଙ୍କ ୱାର୍ଡ ପରିଦର୍ଶନ କରିବେ। ନିଜ ୱାର୍ଡରେ ସଫେଇ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଦସ୍ତଖତ ଆଣିବେ। ଯେଉଁ ୱାର୍ଡରୁ ଲୋକଙ୍କ ଦସ୍ତଖତ ନ ଆସିବ ସେ ୱାର୍ଡର ପରିମଳ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଧରାଯିବ ବୋଲି ଜିଲାପାଳ କହିଥିଲେ। ସେହିପରି ପୌର କର୍ମଚାରୀମାନେ କାର୍ଯ୍ୟାଳୟକୁ କେଉଁ ସମୟରେ ଆସୁଛନ୍ତି ଓ ଯାଉଛନ୍ତି ସେ ନେଇ ନଜର ରଖିବାକୁ ପୌର ନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ପୌରପାଳିକା ଶୈଳୀ ଛାଡ଼ି ଟିମ୍‌ ୱାର୍କରେ କାର୍ଯ୍ୟ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ପୌରପାଳିକା ପକ୍ଷରୁ ଆଦାୟ ହେଉଥିବା ଟିକସ ଉପରେ ମଧ୍ୟ ଗୁରୁତ୍ୱ ଦେବା ପାଇଁ ପୌର ଅଧିକାରୀଙ୍କୁ ଜିଲାପାଳ କହିଥିଲେ। ଜିଲାପାଳଙ୍କ ସହ ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତ୍ତିରାୟ ଉପସ୍ଥିତ ଥିଲେ।

Share