Categories: ରାଜ୍ୟ

ଅନୁଗୋଳ ଷ୍ଟାଡିୟମରେ ଖୋଲିଲା ସରକାରୀ ଆମ୍ବ ବଜାର: ଚାଷୀ, ଖାଉଟିଙ୍କୁ ମିଳିବ ଲାଭ

ଅନୁଗୋଳ ଅଫିସ, ୩୦।୫: ଅନୁଗୋଳ ଜିଲାରେ ଉତ୍ତମ କିସମର ଆମ୍ବ ପ୍ରଦର୍ଶନ ସହ ସୁଲଭ ଦରରେ ବିକ୍ରି କରିବା ଉଦ୍ଦେଶ୍ୟରେ ବୁଧବାର ଅନୁଗୋଳ ଷ୍ଟାଡିୟମ ପାର୍ଶ୍ୱରେ ସରକାରୀ ଆମ୍ବ ବଜାର ଖୋଲାଯାଇଛି। ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଏହାକୁ ଉଦ୍‌ଘାଟନ କରିବା ସହ ଚାଷୀମାନେ ଭଲ କିସମର ଆମ୍ବ ଉଚିତ ମୂଲ୍ୟରେ ବିକ୍ରି କରି ବେଶ୍‌ ଲାଭବାନ ହେବେ ବୋଲି କହିଥିଲେ। ଅନୁଗୋଳ ଜିଲାର ବେପାରୀମାନେ ବିଭିନ୍ନ କିସମର ଆମ୍ବ କମ୍‌ ଦରରେ କିଣି ଖାଉଟିଙ୍କୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବାରୁ ଉଭୟ ଚାଷୀ ଓ ଖାଉଟି କ୍ଷତିର ସମ୍ମୁଖୀନ ହେଉଛନ୍ତି। ଜିଲାରେ ତୃତୀୟ ଥର ପାଇଁ ଖୋଲାଯାଇଥିବା ଏହି ଆମ୍ବ ବଜାର ଉଭୟ ଖାଉଟି, ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଫଳପ୍ରଦ ହେବ ବୋଲି ଜିଲାପାଳ କହିଥିଲେ। ଏହି ବଜାରରେ ବମ୍ବେଗ୍ରୀନ, ଆମ୍ରପଲି, ହେମସାଗର, ଲାଟସୁନ୍ଦରୀ, ଲେଙ୍ଗଡ଼ା, ବାଇଗଣପଲୀ, ରାଜା ବାଇଗଣପଲୀ, ହାତୀମୁଣ୍ଡା, ଦଶେରୀ, ମଲ୍ଲିକା, ଗୁଲାବଖାସ ଓ ଦେଶୀ ଆଦି ୧୪ଟି କିସମର ଆମ୍ବ ପ୍ର୍ରଦର୍ଶିତ ସହ ବିକ୍ରି କରାଯାଉଛି। ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ଏହି ବଜାର ଚାଲିବ। ଆସନ୍ତା ସପ୍ତାହରେ ନୂଆ କିସମର ଆମ୍ବ ଏଠାକୁ ଆସିବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି। ଏହି ଆମ୍ବ ବଜାରର ବିଶେଷତ୍ୱ ହେଉଛି ଚାଷୀମାନେ ଗଛରୁ ପାଚିଲା ଆମ୍ବକୁ ତୋଳି ସିଧାସଳଖ ଖାଉଟିମାନଙ୍କୁ ବିକ୍ରି କରି ଉଚିତ ମୂଲ୍ୟ ସଂଗ୍ରହ କରିପାରିବେ। ଓରମାସ୍‌, ଉଦ୍ୟାନ ବିଭାଗ, ନିୟନ୍ତ୍ରଣ ବଜାର କମିଟି ଓ ଏଫ୍‌ଇଏସ୍‌ର ମିଳିତ ଆନୁକୂଲ୍ୟରେ ହୋଇଥିବା ଏହି ଆମ୍ବ ବଜାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଓରମାସର କାର୍ଯ୍ୟ ନିର୍ବାହୀ ନିରୋଦ କୁମାର ଜେନା, ଏଫ୍‌ଇଏସ୍‌ର ସ୍ବପ୍ନା ଷଡ଼ଙ୍ଗୀ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ମହିଳା ବହୁମୁଖୀ ସମବାୟ ସମିତିର ସଦସ୍ୟା ବୃନ୍ଦ ଓ ବିଭିନ୍ନ ବ୍ଲକରୁ ଆସିଥିବା ଉତ୍ପାଦିକା ଦଳର ଆମ୍ବ ଚାଷୀମାନେ ଯୋଗଦେଇଥିଲେ। ତେବେ ମାସେ ହେବ ଅନୁଗୋଳ ବଜାରରେ ବେପାରୀମାନେ ଆମ୍ବ ବିକ୍ରି କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏତେ ବିଳମ୍ବରେ ସରକାରୀ ଆମ୍ବ ବଜାର ଖୋଲାଯିବାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବହୁ ଆଗରୁ ଏହି ସରକାରୀ ବଜାର ଖୋଲାଯାଇଥିଲେ ଆମ୍ବ ଚାଷୀମାନେ ଅଧିକ ଅର୍ଥ ରୋଜଗାର କରିପାରିଥାନ୍ତେ ବୋଲି କେତେଜଣ ଚାଷୀ କହିଛନ୍ତି।

Share