ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ

ଭୁବନେଶ୍ୱର, ୮ା୮(ବ୍ୟୁରୋ): କେନ୍ଦ୍ର ସରକାର କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରି ଏକ କେନ୍ଦ୍ର ଶାସିତ ଅଞ୍ଚଳ କରିଛନ୍ତି। ଫଳରେ କଶ୍ମୀରବାସୀଙ୍କୁ ଆତ୍ମନିର୍ଣ୍ଣୟର ଅଧିକାରରୁ ବଞ୍ଚତ୍ତ କରିଛନ୍ତି। ଏ ନେଇ ସିପିଆଇ (ଏମ୍‌-ଏଲ୍‌) ରେଡ୍‌ଷ୍ଟାର ସମେତ ବିଭିନ୍ନ ଗଣତାନ୍ତ୍ରିକ ମାନବିକ ଅଧିକାର ସଙ୍ଗଠନ ପକ୍ଷରୁ ବୁଧବାର ମାଷ୍ଟରକ୍ୟାଣ୍ଟିନଠାରେ ବିରୋଧ ପ୍ରଦର୍ଶନ କରାଯାଇଛି। ୮୭ ବିଧାନସଭା ଓ ୬ ଲୋକସଭା ଅଞ୍ଚଳର ଦେଢ଼ କୋଟି ଜାମ୍ମୁ-କଶ୍ମୀରବାସୀ ଆଜି ବନ୍ଦୀ ଓ ନିଜ ନିଜ ଭିତରେ ଏବଂ ସମଗ୍ର ଦେଶଠାରୁ ସେମାନେ ବିଚ୍ଛିନ୍ନ ହୋଇଛନ୍ତି ବୋଲି ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି।
ପୂର୍ବରୁ କଶ୍ମୀରରେ ଲକ୍ଷ ଲକ୍ଷ ସଶସ୍ତ୍ର ସେନା ମୁତୟନ କରାଯାଇଥିବା ବେଳେ, ଗତ ସପ୍ତାହରେ ଅତିରିକ୍ତ ୪୮ ହଜାର ସେନା ପଠାଯାଇଛି। ମୋବାଇଲ, ଇଣ୍ଟରନେଟ, ଲ୍ୟାଣ୍ଡ ଫୋନ, କେବୁଲ କନେକ୍ସନ ବନ୍ଦ କରି ଦିଆଯାଇଥିବା ବେଳେ ସମଗ୍ର ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି। ଏପରିକି ଡାକ୍ତରଖାନାଠାରୁ ଆରମ୍ଭ କରି ସ୍କୁଲ, କଲେଜ ବିଶ୍ୱବିଦ୍ୟାଳୟ ସବୁ ବନ୍ଦ କରି ଦିଆଯାଇଛି। ସମଗ୍ର କଶ୍ମୀରବାସୀଙ୍କୁ ଅନ୍ଧକାରରେ ରଖି ସେମାନଙ୍କର ଇଚ୍ଛାକୁ ସମ୍ମାନ ନ ଦେଇ ଗୋଟିଏ ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଓ ସମଗ୍ର ଦେଶରେ କଶ୍ମୀରବାସୀଙ୍କ ବିରୋଧରେ ଏକ ଯୁଦ୍ଧ ବିରୋଧୀ ଉନ୍ମାଦନା ସୃଷ୍ଟି କରିବା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କଦାପି ଗ୍ରହଣୀୟ ନୁହେଁ ବୋଲି ପ୍ରତିବାଦୀକାରୀମାନେ ପ୍ରକାଶ କରିଛନ୍ତି। ବିକ୍ଷୋଭରେ ସିପିଆଇ(ଏମ୍‌-ଏଲ୍‌) ରେଡ୍‌ ଷ୍ଟାର ରାଜ୍ୟ ସମ୍ପାଦକ ଶିବରାମ, ଗଣ ଆନ୍ଦୋଳନର ନେତା ନରେନ୍ଦ୍ର ମହାନ୍ତି, ମାନସ ପଟ୍ଟନାୟକ, ମାନବିକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ, ଦେବ ରଞ୍ଜନ, ଶ୍ରୀମନ୍ତ ମହାନ୍ତି, ବିପ୍ଳବୀ କବି ଲେନିନ୍‌, ଲୋହିଆ ଏକାଡ଼େମୀ ପକ୍ଷରୁ ଦେବ ପ୍ରସାଦ ରାୟ, ପ୍ରଦୀପ ସାହୁ ଆଦି ଯୋଗ ଦେଇଥିଲେ। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଇନ୍‌ସାଫ, ସିଏସ୍‌ଡ଼ି, ବସ୍ତି ସୁରକ୍ଷା ମଞ୍ଚ, ଟିୟୁସିଆଇ ଆଦି ସଙ୍ଗଠନ ମଧ୍ୟ ସାମିଲ ହୋଇଥିଲେ।

Share