ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବା ଅନୁଚ୍ଛେଦ ୩୭୦ ହଟାଯିବା ପରେ ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସଜାଗ ରହିବାକୁ କହିଛନ୍ତି। ଏହାକୁ ନେଇ ଦେଶର ସବୁ ସ୍ଥାନରେ ଶାନ୍ତି ଓ ସୌହାର୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ କୁହାଯାଇଛି। ଏପଟେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହାଇ ଆଲର୍ଟ ଜାରି କରାଯାଇଛି। ଭୋପାଳରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ମଧ୍ୟପ୍ରଦେଶର ଗ୍ବାୟାଲିୟରରେ ଥିବା ବାୟୁସେନା ଷ୍ଟେଶନରେ କାର୍ଯ୍ୟରତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ହାଇ ଆଲର୍ଟ ଜାରି କରାଯାଇଛି। ଏହାସହ ସେଠାରେ ଥିବା ମିରାଜ ଯୁଦ୍ଧ ବିମାନଙ୍କୁ ଯେ କୌଣସି ସମୟରେ ଉଡାଇବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।