Categories: ଜାତୀୟ

ଅନୁଚ୍ଛେଦ ୩୭୦: ଜନ୍ତର ମନ୍ତରରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୨।୮: ଜମ୍ମୁ-କଶ୍ମୀରରେ ଗୃହବନ୍ଦୀ ଥିବା ନେତାଙ୍କୁ ମୁକୁଳାଇବାକୁ ନେଇ ଗୁରୁବାର ଦିଲ୍ଲୀର ଜନ୍ତର ମନ୍ତରଠାରେ ବିରୋଧୀ ଦଳ ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିରେ କଂଗ୍ରେସ, ତ୍ରୁଣ ମୂଳ କଂଗ୍ରେସ ଓ ଡିଏମ୍‌କେ ସାମିଲ ହୋଇଛି। କଂଗ୍ରେସ ନେତା ପି.ଚିଦାମବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଗୁଲାମ ନବି ଆଜାଦ, ସିପି(ଆଇ)ଏମ୍‌ ଜେନେରାଲ ସେକ୍ରେଟାରୀ ସୀତାରାମ ୟେଚୁରି, ସିପିଆଇ ଜେନେରାଲ ସେକ୍ରେଟାରୀ ଡି.ରାଜା, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ଆର୍‌ ଜେଡିର ମନୋଜ ଝା ଓ ତ୍ରୁଣ ମୂଳ କଂଗ୍ରେସର ଦିନେଶ ତ୍ରିବେଦୀ ଏହି ବିରୋଧ ପ୍ରଦର୍ଶନରେ ଯୋଗ ଦେଇଛନ୍ତି। ଏମାନେ କଶ୍ମୀର ଭ୍ୟାଲିରେ ମୋବାଇଲ ସେବା ଯୋଗାଇ ଦେବା ସହ ନଜରବନ୍ଦୀ ଥିବା ସମସ୍ତ ନେତାଙ୍କୁ ମୁକୁଳାଇବାକୁ ଏମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଏଠାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ମୋବାଇଲ, ଇଣ୍ଟରନେଟ ସେବା ବନ୍ଦ କରି ଦେଇଥିବା ବେଳେ କେତେଜଣ ନେତାଙ୍କୁ ଗୃହବନ୍ଦୀ କରି ରଖିଥିଲେ।

Share