ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ:୧୬ ବିଭାଗରେ ନିଯୁକ୍ତ ହେବେ ୨୮୯ ଅଧ୍ୟାପକ

ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବିଭାଗ ଦ୍ୱାରା ରାଜ୍ୟ ସିଲେକ୍‌ଶନ୍‌ ବୋର୍ଡକୁ ୮୩୩ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା। ଏନେଇ ବୋର୍ଡ ଦ୍ୱାରା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି। ଇତି ମଧ୍ୟରେ ୯ ବିଭାଗରେ ୨୯୯ ଅଧ୍ୟାପକ ପଦବୀ ପୂରଣ ହୋଇସାରିଛି। ଏଥର ୧୬ ବିଭାଗର ୨୮୯ ଯୋଗ୍ୟ ବିବେଚିତ ଅଧ୍ୟାପିକା ଓ ଅଧ୍ୟାପକଙ୍କୁ ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଯିବ। ନବନିଯୁକ୍ତ ଅଧ୍ୟାପିକା ଓ ଅଧ୍ୟାପକଙ୍କ ପାଇଁ ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆସନ୍ତା ୨୮ ତାରିଖ ସକାଳ ୧୦ଟା ୩୦ ମିନିଟ୍‌ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେବେ। ନବନିଯୁକ୍ତ ଅଧ୍ୟାପକମାନଙ୍କ ମଧ୍ୟରୁ ବାଣିଜ୍ୟରେ ୨ ଜଣ, ରାଜନୀତି ବିଜ୍ଞାନରେ ୨, ଇଂଲିଶରେ ୯୫, ଗଣିତରେ ୩୮, କମ୍ପ୍ୟୁଟର ସାଇନ୍ସରେ ଜଣେ, ତେଲୁଗୁରେ ଜଣେ, ଷ୍ଟାଟିଷ୍ଟିକ୍ସରେ ଜଣେ, ହିନ୍ଦୀରେ ୭, ହୋମ୍‌ ସାଇନ୍ସରେ ୭, ସାଇକୋଲୋଜିରେ ୮, ଏଜୁକେଶନ୍‌ରେ ୨୯, ଊର୍ଦ୍ଦୁରେ ଜଣେ, ସଂସ୍କୃତରେ ୨୨, ପଦାର୍ଥ ବିଜ୍ଞାନରେ ୩୪, ପ୍ରାଣୀ ବିଜ୍ଞାନରେ ୨୯ ଏବଂ ସୋସିଓଲୋଜିରେ ୧୨ଜଣ ଏହି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବେ।

Share