ଅନୁଦାନ ହାତେଇବାକୁ ଅଭିନବ ଉଦ୍ୟମ

ଭଦ୍ରକ ଅଫିସ, ୨୦।୯ – ଦୃଷ୍ଟିହୀନ, ମୁକ, ବଧିର ସ୍କୁଲରେ ସରକାରୀ ଅନୁଦାନ ହାତେଇବା ପାଇଁ ସୁସ୍ଥ ପିଲାଙ୍କୁ ରଖି ଅଭିନବ ଉପାୟରେ ଚାଲିଥିଲା ଶିକ୍ଷାନୁଷ୍ଠାନ। ଗୁରୁବାର ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷାଙ୍କ ଅଚାନକ ପରିଦର୍ଶନ ପରେ ଏହି ଗୁମର ଖୋଲିଛି। ଅଧ୍ୟକ୍ଷା ସୁଲୋଚନା ଦାସ ଗୁରୁବାର ଭଦ୍ରକ ଜିଲା ଗସ୍ତରେ ଆସି ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଗୋପାଳପୁରସ୍ଥିତ ରଙ୍କନିଧି ମୁକ ବଧିର ବିଦ୍ୟାଳୟରେ ପହଞ୍ଚିଥିଲେ। ତନାଘନା ସମୟରେ ଏହି ରହସ୍ୟ ପଦାକୁ ଆସିଛି। ଏପରିକି ଏହି ସ୍କୁଲର ଉପସ୍ଥାନ ବଢ଼ାଇବା ଲାଗି ପାଖ ସ୍କୁଲରୁ ପିଲାଙ୍କୁ ଆଣି ନିଜ ସ୍କୁଲର ଛାତ୍ରୀଛାତ୍ର ଦର୍ଶାଉଥିବା ବେଳେ ଅଧ୍ୟକ୍ଷା ଦାସଙ୍କ ହାବୁଡ଼ରେ ଚଞ୍ଚକତାର ପ୍ରମାଣ ମିଳିଛି।
ସୂଚନା ଅନୁଯାୟୀ, ୧୯୮୬ରୁ ସ୍ଥାପିତ ଏହି ବିଦ୍ୟାଳୟର କର୍ତ୍ତୃପକ୍ଷ ସ୍ଥାନୀୟ ଅନ୍ୟ ଏକ ସ୍କୁଲର ଜଣେ ଛାତ୍ରୀ କଥା କହିପାରୁଥିଲେ ମଧ୍ୟ ତାଙ୍କୁ ମୁକ ଦର୍ଶାଇଛନ୍ତି। ଛାତ୍ରୀ ଜଣଙ୍କ ଏହି ଶିକ୍ଷାନୁଷ୍ଠାନର ହୋଇଥିବା ଦର୍ଶାଯାଇଥିଲା। ସ୍କୁଲରେ ପିଲାଙ୍କୁ ମାଡ଼ ମରାଯାଉଥିବା ମଧ୍ୟ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଅଧ୍ୟକ୍ଷା ଦାସଙ୍କୁ ଜଣାଇଥିଲେ। ଏପରିକି ରାନ୍ଦିଆ ଫିସେରୀ ବନ୍ଧ ନିକଟ ଅଞ୍ଚଳର ଜଣେ ଶିଶୁଙ୍କୁ ଉକ୍ତ ସ୍କୁଲରେ ମାଡ଼ ମରାଯାଇ ଲହୁ ଲୁହାଣ କରି ଦିଆଯାଇଥିବା ଓ ସେ ଦୀର୍ଘଦିନ ଧରି ମେଡିକାଲରେ ଚିକିତ୍ସାଧୀନ ରହିବା ଭଳି ଘଟଣା ସମ୍ପର୍କରେ ଜଣାପଡ଼ିଛି। ଭିନ୍ନକ୍ଷମ ବିଭାଗର ଆଡ୍‌ଭାଇଜର୍‌ ପ୍ରିୟବ୍ରତ ଦାସ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର ଦେହୁରୀ ଓ ସହାୟକ ଜିଲାପାଳ ବାସନ୍ତୀ ସାମଲ ପ୍ରମୁଖ ସ୍କୁଲରେ ପହଞ୍ଚି ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଏହି ସ୍କୁଲରେ ୧୨୩ ଜଣ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ରହିବା, ଖାଇବା ଓ ପଢ଼ିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଗୁରୁବାର ପରିଦର୍ଶନ ବେଳେ ୬୩ ପିଲାଙ୍କର ଉପସ୍ଥାନ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ୫ଜଣ ଅନ୍ୟ ସ୍କୁଲର ଥିଲେ। ଗସ୍ତରେ ଆସିଥିବା ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ଦାସ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି। ଅନ୍ୟପଟେ ରଙ୍କନିଧି ଦୃଷ୍ଟିହୀନ ମୁକ ବଧିର ବିଦ୍ୟାଳୟର କର୍ତ୍ତୃପକ୍ଷ କିମ୍ବା ଅନ୍ୟ ଶିକ୍ଷକମାନେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବାକୁ ମନା କରିଥିଲେ। ଅଧ୍ୟକ୍ଷା ଦାସ ଆଗାମୀ ଦିନରେ ଅନିୟମିତତା କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଦେହୁରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଏକ ଚୂଡାନ୍ତ ରିପୋର୍ଟ ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ଓ ଜିଲାପାଳଙ୍କୁ ପ୍ରଦାନ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।