ଅନୁପଙ୍କୁ ରାତିଅଧିଆ ମାରାଥନ ଜେରା

ଝାରସୁଗୁଡ଼ା, ୨୨।୨(ଡି.ଏନ.ଏ.): ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ମାରାଥନ ଜେରା କରୁଛି। ଶନିବାର ସନ୍ଧ୍ୟାରେ ଅନୁପଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ପୋଲିସ ତାଙ୍କ ନିକଟରୁ ବିଭିନ୍ନ ତଥ୍ୟ ସଂଗ୍ରହ ପାଇଁ ଜୋରସୋର ଉଦ୍ୟମ ଜାରି ରଖିଛି । ତେବେ ପୂର୍ବରୁ ଅନୁପ ପୋଲିସ ନିକଟରେ ନିଜ ଦୋଷ ସ୍ବୀକାର କରିଥିବା ବେଳେ ଏବେ କିନ୍ତୁ ସେ କିଛି ତଥ୍ୟ ଦେଉ ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କୁ ଜେରା କରାଯାଇଥିଲା। ଶୁକ୍ରବାର ଭୋରୁ ତାଙ୍କୁ ନିଦରୁ ଉଠାଇ ପୁଣି ପୋଲିସ ଜେରା କରିଛି। ହେଲେ ଅନୁପ ଅଧିକାଂଶ ସମୟରେ ନିଜ ସ୍ବାସ୍ଥ୍ୟ ଠିକ୍‌ ନ ଥିବା ଦର୍ଶାଇ ଚୁପ୍‌ ରହୁଛନ୍ତି। ତାଙ୍କ ସମ୍ପର୍କୀୟ ଓ ପରିବାରବର୍ଗ ରାୟଗଡରେ ଡେରା ପକାଇଥିବାରୁ ତାଙ୍କୁ ଘର ଖାଦ୍ୟ ଆଣି ଦେବାକୁ ଅନୁପ ପୋଲିସକୁ ବାରମ୍ବାର କହୁଛନ୍ତି । ହେଲେ ପୋଲିସ ହୋଟେଲରୁ ଖାଦ୍ୟ ମଗାଇ ଅନୁପଙ୍କୁ ଦେଉଛି। ଅନୁପ ଅଳ୍ପ ଖାଇ ଶୋଉଛନ୍ତି। ଶନିବାର ପୋଲିସ ଅନୁପଙ୍କୁ ହତ୍ୟାକାଣ୍ଡସ୍ଥଳ ଛତିଶଗଡ଼ର ରାୟଗଡ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲକୁ ନେଇ ଲାଇଭ ଡେମୋ କରାଇବାକୁ ଯୋଜନା କରିଛି। ଅନ୍ୟପକ୍ଷେ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଣି ରିମାଣ୍ଡରେ ଆଣିବାକୁ ପୋଲିସ କୋର୍ଟରେ ଆବେଦନ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ଅନୁପଙ୍କୁ ୩ ଦିନ ଓ ବର୍ଦ୍ଧନଙ୍କୁ ଗୋଟିଏ ଦିନ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଥିଲେ ।
ଏହି ଡବଲ ମର୍ଡରକୁ କୋର୍ଟରେ ପ୍ରମାଣିତ କରିବାକୁ ପୋଲିସ ଦିନ ରାତି ଏକ କରି ଦେଇଛି।

Share