Categories: ଖେଳ

ଅନୁପମାଙ୍କ ପାଇଁ ଏସିଆନ ଗେମ୍ସ ସମ୍ଭାବନା; ଓଡ଼ିଶା ଜୁଜୁଟ୍‌ସୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୫।୯(କ୍ରୀଡ଼ା ପ୍ରତିନିଧି)- ଦକ୍ଷିଣ କୋରିଆର ଚୁଙ୍ଗ୍‌ ଜୁଠାରେ ଅନୁଷ୍ଠିତ ବିଶ୍ୱ ମାର୍ଶାଲ ଆର୍ଟର ଅଲିମ୍ପିକ୍‌ ଭାବେ ବିବେଚିତ ହେଉଥିବା ମାଷ୍ଟରଶିପ୍‌ ପ୍ରତିଯୋଗିତାର ଜୁଜୁଟ୍‌ସୁ ଫାଇଟିଂ(କଣ୍ଟାକ୍ଟ )ରେ ବ୍ରୋଞ୍ଜ ପଦକ ଜିତିଥିବା ଅନୁପମା ଓଡ଼ିଶା ଫେରି ଆସିଛନ୍ତି। ପ୍ରଦର୍ଶନ ଆଧାରରେ ସେ ୨୦୨୨ ଏସିଆନ ଗେମ୍ସର ଜୁଜୁଟ୍‌ସୁ ଇଭେଣ୍ଟ ପାଇଁ ପ୍ରାରମ୍ଭିକ ଭାବେ ମନୋନୟନ ହୋଇଛନ୍ତି। କ୍ରମାଗତଭାବେ ସେ ଏହି ଇଭେଣ୍ଟରେ ଭଲ ପ୍ରଦର୍ଶନ ଜାରି ରଖିଲେ ଏସିଆନ ଗେମ୍ସ ପାଇଁ ଫାଇନାଲ ଟିକେଟ ପାଇ ପାରିବେ। ଏକାଧିକ କ୍ରୀଡ଼ାରେ ଜାତୀୟ/ଅନ୍ତର୍ଜାତୀୟ ସଫଳତା ଲାଭ କରିଥିବା ଅନୁପମା ଏଥିପାଇଁ ବେଶ୍‌ ଆଶାବାଦୀ। ନିଜର ସଫଳତା ପାଇଁ ସେ ସମସ୍ତ ଶ୍ରେୟ କୋଚ୍‌ ଡ. ହରିପଟ୍ଟନାୟକଙ୍କୁ ଦେଇଛନ୍ତି। ଉପଯୁକ୍ତ ଟ୍ରେନିଂ ନେଲେ ସେ ନିଶ୍ଚିତ ବଡ଼ ପ୍ରତିଯୋଗିତାରେ ପ୍ରତିପକ୍ଷ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିପାରିବେ ବୋଲି ଦୃଢ଼ତାର ସହ କହିଛନ୍ତି ଏହି ଓଡ଼ିଆ ଯୁବତୀ। ଜୁଜୁଟ୍‌ସୁ ନଓ୍ବୋଜା ବିଭାଗରେ ମଧ୍ୟ ସେ ଭାଗନେଇ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ତେବେ ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ଯୁବ ବୟସରେ ଏପରି ଏକ ବଡ଼ ସଫଳତା ତାଙ୍କୁ ବେଶ୍‌ ଉତ୍ସାହିତ କରିଛି। ବିଶ୍ୱ ସଂଘଦ୍ୱାରା ଅନୁପମାଙ୍କୁ ବିଶ୍ୱର ଜଣେ ଏଲାଇଟ ଖେଳାଳିଭାବେ ସ୍ବିକୃତି ମିଳିଥିବାରୁ ତାଙ୍କର ସମସ୍ତ ଖର୍ଚ୍ଚ ଓ୍ବାଲର୍‌ଡ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ଆୟୋଜକ କମିଟି ବହନ କରିଥିଲା।
ଅନୁପମାଙ୍କୁ ଉତ୍କଳ କରାଟେ ସ୍କୁଲ ପରିସରରେ ବୁଧବାର ଓଡ଼ିଶା ଜୁଜୁଟ୍‌ସୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଛି। ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ଜୁଜୁଟ୍‌ସୁ ସଂଘ ସଭାପତି ଗୌରୀ ମହାନ୍ତି, ଉପସଭାପତି ଚିତ୍ତରଞ୍ଜନ ସ୍ବାଇଁ, କୋଚ୍‌ ହରିପ୍ରସାଦ, ହିମାଂଶୁ ଶେଖର ଦାସ, ମୀର ଅଜମତ ଅଲୀ, ଅବିନାଶ ପୁନ୍ଦିର, ଯିଶୁକର, ଜାନକି ବଲ୍ଲଭ ମିଶ୍ର, ଦେବାଶିଷ ଆଚାର୍ଯ୍ୟ, ଅନ୍ତର୍ଜାତୀୟ କରାଟେକା ଦିଲୀପ କୁମାର ଜେନା, ସୁସ୍ମିନି ପାଲଟାସିଂ, ସିନ୍ଧୁତନୟା ଖୁଣ୍ଟିଆ, ମଧୁପ୍ରିୟା, ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ଶୁଭସ୍ମିତା ମହାନ୍ତି ପ୍ରମୁଖ ଏହି ସମ୍ବଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନୁପମା ଜୁଜୁଟ୍‌ସୁ ବ୍ୟତୀତ ଏସୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଏବଂ କରାଟେରେ ରାଜ୍ୟଗୋଷ୍ଠୀ ପଦକ ମଧ୍ୟ ହାସଲ କରିଛନ୍ତି।

Share