ନୂଆଦିଲ୍ଲୀ,୧୬।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକ ମଙ୍ଗଳବାର ସଂସଦର ଲାଇବ୍ରେରୀ ବିଲଡିଂରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଦି ଏମ୍ପିମାନଙ୍କୁ ସାମାଜିକ କାର୍ଯ୍ୟ ସହ ଯୋଡି ହୋଇ ରହିବାକୁ କହିଛନ୍ତି। ଏହାପରେ ସଂସଦରେ ଅନୁପସ୍ଥିତ ଥିବା ମନ୍ତ୍ରୀଙ୍କର ଏକ ତାଲିକା ମଧ୍ୟ ମାଗିଛନ୍ତି ମୋଦି। ପ୍ରତିଦିନ ସନ୍ଧ୍ୟାରେ ରୋଷ୍ଟର ଡ୍ୟୁଟି ଥାଇ ମଧ୍ୟ ଅନୁପସ୍ଥିତ ଥିବା ମନ୍ତ୍ରୀଙ୍କର ତାଲିକା ପ୍ରଦାନ କରିବାକୁ ସେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କହିଛନ୍ତି। ଲୋକ ସଭା ଓ ରାଜ୍ୟ ସଭାରେ ମନ୍ତ୍ରୀମାନେ ଉପସ୍ଥିତ ନ ହେବାରୁ ବିରୋଧି ପତ୍ର ଲେଖି ତାଙ୍କୁ ଏହି ଅଭିଯୋଗ କରିଛନ୍ତି। ତେଣୁ ଯେଉଁମାନେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କୁ ଠିକ୍ କରିବାକୁ ମୋଦି ଏହି ତାଲିକା ମାଗିଥିବା ପ୍ରକାଶ କରିଛନ୍ତି। ଆୟୋଜିତ ସଂସଦୀୟ ଦଳ ବୈଠକରେ ମୋଦି ରାଜନୀତିର ଊର୍ଦ୍ଧ୍ୱକୁ ଯାଇ କାମ କରିବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାସହ ନିର୍ବାଚନ ମଣ୍ଡଳି ଗସ୍ତ କରି ଲୋକଙ୍କ ସହ ମିଶିବାକୁ ସେ ସବୁ ମନ୍ତ୍ରୀଙ୍କୁ କହିଛନ୍ତି।