Categories: ଜାତୀୟ

ଅନୁପ୍ରବେଶ ଅପେକ୍ଷାରେ ପାକ୍‌ ଆତଙ୍କବାଦୀ: ଏଲ୍‌ଓସି, ଆଇବିରେ ହାଇଆଲର୍ଟ

ନୂଆଦିଲ୍ଲୀ,୫ା୧୦: ଭାରତରେ ଅନୁପ୍ରବେଶ ଲାଗି ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଥିତ୍ବା ଲଞ୍ଚ୍‌ପ୍ୟାଡ୍‌ଗୁଡ଼ିକରେ ଆତଙ୍କବାଦୀ ଅପେକ୍ଷାରତ ଥିବା ଗୋଇନ୍ଦା ସୂଚନା ମିଳିବା ପରେ ଶୁକ୍ରବାର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଏବଂ ଅନ୍ତର୍ଜାତୀୟ ସୀମା (ଆଇବି)ରେ ହାଇ ଆଲର୍ଟ ଜାରି ହୋଇଛି। ଏଲ୍‌ଓସି ନିକଟବର୍ତ୍ତୀ ମଛିଲ ଓ କେରନ ସେକ୍ଟରରେ ବହୁସଂଖ୍ୟାରେ ଆତଙ୍କବାଦୀଙ୍କ ଗତିବିଧି ଦେଖିବାକୁ ମିଳିଛି। ସୀମା ଆରପଟ ଅନ୍ୟ ଏକ ଲଞ୍ଚପ୍ୟାଡ୍‌ରେ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କର ଏକ ୬ ଜଣିଆ ଗ୍ରୁପ୍‌କୁ ଠାବ କରାଯାଇଛି। ଏହା ବ୍ୟତୀତ କେରନ ସେକ୍ଟର ନିକଟବର୍ତ୍ତୀ ଜୁରାଠାରେ ଥିବା ଲଞ୍ଚପ୍ୟାଡ୍‌ରେ ମଧ୍ୟ କେତେଜଣ ଆତଙ୍କବାଦୀ ଥିବା ଜଣାପଡିଛି। ସେହିପରି ଏଲ୍‌ଓସି ଆରପଟେ ଥିବା ମୋହରାରେ ୩ଟି ଆତଙ୍କବାଦୀ ଗୋଷ୍ଠୀ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ଭାରତର ଭିମ୍ବର ଗଲି ସେକ୍ଟରକୁ ଲାଗି ଏହି ଅଞ୍ଚଳ ରହିଛି। ସେହିପରି ଏଲ୍‌ଓସି ନିକଟବର୍ତ୍ତୀ ଲଞ୍ଜୋତ୍‌ ଓ ଡାଡୋଟ ଲଞ୍ଚପ୍ୟାଡ଼୍‌ରେ ଆତଙ୍କବାଦୀଙ୍କର ୩ରୁ ୪ଟି ଗୋଷ୍ଠୀ ରହିଥିବାବେଳେ ତେଜିଆନ ଲଞ୍ଚପ୍ୟାଡ୍‌ରେ ଅତିରିକ୍ତ ୪ରୁ ୫ଟି ଗୋଷ୍ଠୀ ଅପେକ୍ଷାରତ ଅଛନ୍ତି।
ଗୋଇନ୍ଦା ସୂଚନା ଅନୁଯାୟୀ, ପିଓକେର ସଲହୁନ ଓ ମାଟ୍ରିଆନରେ ଅନୂ୍ୟନ ୫୦ ଜେଇଏମ୍‌ ଆତଙ୍କବାଦୀଙ୍କ ସହ ୩୦ ଲଶ୍କର-ଇ-ତୋଇବା ଆତଙ୍କବାଦୀ ରହିଛନ୍ତି। ସେହିପରି କେରନ ସେକ୍ଟର ଦେଇ ଭାରତରେ ଅନୁପ୍ରବେଶ ଲାଗି ଲଶ୍କର ଓ ଅଲ୍‌-ବଦର ସଂଗଠନର ପାଖାପାଖି ୯୦ ଆତଙ୍କବାଦୀ ପ୍ରତୀକ୍ଷା କରିଥିବା ଜଣାପଡିଛି। ଏମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ଇହୁଦୀ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।
ଶୁକ୍ରବାର ସୀମାରେ ସେନା ଓ ପୋଲିସ ପକ୍ଷରୁ ମିଳିତ ତଲାସି ଅଭିଯାନ ବେଳେ ୧୭ଟି ହ୍ୟାଣ୍ଡ ଗ୍ରେନେଡ୍‌ ଜବତ ହୋଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଗୋଇନ୍ଦା ସୂଚନାକ୍ରମେ ଖରଗଲି ଓ ଲୋରାନ ସୀମାନ୍ତ ଅଞ୍ଚଳରେ ତଲାସି କରାଯାଇଥିଲା।

Share