Categories: ଜାତୀୟ

ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କବାଦୀ

ନୂଆଦିଲ୍ଲୀ/ଶ୍ରୀନଗର,୨୭ା୪: କରୋନା ମହାମାରୀକୁ ଅଣଦେଖା କରି ପାକିସ୍ତାନ ଭାରତ ଭିତରକୁ ଆତଙ୍କବାଦୀ ପଠାଇ କ୍ଷତି କରିବା ଲାଗି ପ୍ରୟାସ କରୁଛି। ପ୍ରାୟ ୩୦୦ ଆତଙ୍କବାଦୀ ‘ପିଓକେ’ର ନିୟନ୍ତ୍ରଣ ରେଖା ନିକଟରେ ଭାରତ ଭିତରେ ପ୍ରବେଶ ଲାଗି ଅପେକ୍ଷାରେ ଅଛନ୍ତି। ଏଥିଲାଗି ଭାରତୀୟ ସେନା ସଜାଗ ହୋଇପଡ଼ିଛି। ଭିତରକୁ ପଶିବା ଲାଗି ଉଦ୍ୟମ କଲେ ସେମାନଙ୍କୁ ଉଚିତ୍‌ ଶାସ୍ତି ଦିଆଯିବ ବୋଲି କହିଛନ୍ତି ଲ୍ୟୁଟନାଣ୍ଟ ଜେନେରାଲ ବି.ଏସ୍‌. ରାଜୁ। ସୀମାରେ ପାଟ୍ରୋଲିଂ ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।
ଅନୁପ୍ରବେଶ ଉଦ୍ୟମରେ ଥିବା ଆତଙ୍କବାଦୀ କରୋନା ସଂକ୍ରମିତ ଥିବା ଆଶଙ୍କା ଥିବାରୁ ସେନା ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଗୋଇନ୍ଦା ସୂତ୍ରରୁ ହିଜ୍‌ବୁଲ, ଲଶ୍କର ଭଳି ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନର ସଦସ୍ୟଙ୍କ ଅନୁପ୍ରବେଶ ଉଦ୍ୟମ ସମ୍ପର୍କରେ ଜଣାପଡ଼ିଛି। ସୀମାରେ ୧୬ ଲଞ୍ଚ୍‌ପ୍ୟାଡ୍‌ ଏବେ ସକ୍ରିୟ ରହିଛି। ପାକିସ୍ତାନୀ ସେନା ଓ ପାକ୍‌ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଉତ୍ତର କଶ୍ମୀରର ନୌସେରା, ଚାମ୍ବା ଆଦି ଗୁଲମର୍ଗ ଅଞ୍ଚଳରେ ଲଞ୍ଚ୍‌ପ୍ୟାଡ୍‌ କରି ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଲାଗି ପ୍ରୋତ୍ସାହିତ କରୁଥିବା ଜଣାପଡ଼ିଛି। ପାକିସ୍ତାନ ପଟୁ କରୋନା ସଂକ୍ରମିତଙ୍କୁ ଭାରତ ଭିତରକୁ ପଠାଯିବା ଲାଗି ଉଦ୍ୟମ ଆଶଙ୍କା ରହିଥିବାରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।

Share