କଟକ ଅଫିସ୍,୧ା୫- କେନ୍ଦ୍ରାପଡା ଲୋକ ସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ମିଳିଛି। ୧୦ ଲକ୍ଷ ଟଙ୍କା ନ ଦେଲେ ମାରିଦେବାକୁ ହ୍ବାଟ୍ସଆପ୍ରେ ମେସେଜ କରି ଧମକ ଦିଆଯାଇଛି। ଏନେଇ ଅନୁଭବ ମଙ୍ଗଳବାର ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା (ନଂ.୯୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୋମବାର ରାତି ୯ଟାରେ ଏକ ଅଜଣା ନମ୍ବରରୁ ଅନୁଭବଙ୍କ ହ୍ବାଟ୍ସଆପ୍କୁ ଏହି ମେସେଜ ଆସିଥିଲା। ତେବେ ଅନୁଭବଙ୍କ କହିବାନୁଯାୟୀ, କେହି ଚୁଗୁଲି କରିଥିବେ ବୋଲି ପ୍ରଥମେ ଭାବିଥିଲି। ପରେ ଏହା ସତ୍ୟ ବୋଲି ଜାଣିବାରୁ ଏନେଇ ଥାନାରେ ଅଭିଯୋଗ କରିଛି। କେହି ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପ୍ରରୋଚନାରେ ଉକ୍ତ ଦୃର୍ବୃର୍ତ୍ତ ଜଣକ ଏଭଳି ଧମକ ଦେଇଥିବେ ବୋଲି ସେ ସନ୍ଦେହ କରୁଥିବା କହିଛନ୍ତି। ଏନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଜଣାଇବା ସହ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ନିବେଦନ କରିଥିବା କହିଛନ୍ତି। ପୁରୀଘାଟ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ କହିଛନ୍ତି, ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଆମେ ତଦନ୍ତ ଆରମ୍ଭ କରିଛୁ।