ଭୁବନେଶ୍ୱର,୪ା୨(ବ୍ୟୁରୋ): କେନ୍ଦ୍ରାପଡ଼ା ଏମ୍ପି ଅନୁଭବ ମହାନ୍ତି ୨୦୧୪ ରାଜ୍ୟ ସଭା ନିର୍ବାଚନ ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଭୁଲ୍ ତଥ୍ୟ ଦେଇଥିବା ରବିବାର କଂଗ୍ରେସ ଅଭିଯୋଗ କରିଥିଲା। ଏହି ଅଭିଯୋଗକୁ ଏମ୍ପି ମହାନ୍ତି ଖଣ୍ଡନ କରିବା ସହିତ କଂଗ୍ରେସକୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସମାଲୋଚନା କରିଥିଲେ। ଏହି ଘଟଣାରେ ସୋମବାର କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ଅନୁଭବଙ୍କ ଉକ୍ତ ପ୍ରେସ୍ ବିଜ୍ଞପ୍ତି ପରୋକ୍ଷରେ ଅଭିଯୋଗକୁ ସ୍ବୀକାର କରିଛନ୍ତି। ଆଶା କରାଯାଉଥିଲା ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିବା ପରେ ଏମ୍ପି ସମସ୍ତ ଦସ୍ତାବିଜ୍ ସହ ତାଙ୍କର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ପ୍ରମାଣପତ୍ର ଦେଖାଇ ପ୍ରତିପକ୍ଷଙ୍କୁ ଚୁପ୍ କରିବା ପାଇଁ ଚେଷ୍ଟା କରିବେ। କିନ୍ତୁ ତାହା ନ କରି ନିଜର ପୁରୁଣା ଶୈଳୀରେ ଆଇନକାନୁନ୍କୁ ବାଏଁ ବାଏଁ ଉଡ଼ାଇ ଦେବା ପାଇଁ ଚେଷ୍ଟା କରିଛନ୍ତି। କଂଗ୍ରେସ ଯେଉଁ ତିନୋଟି କଥାକୁ ନେଇ ତାଙ୍କୁ ଚ୍ୟାଲେଞ୍ଜ କରିଛି ତାହା- ଏମ୍ପିଙ୍କ ବି.ଏ ସାର୍ଟିଫିକେଟ୍ ବୈଧ କି ନୁହେଁ। ବିନା ମାଇଗ୍ରେଶନ୍ ସାର୍ଟିଫିକେଟ୍ରେ ଏକ ରାଜ୍ୟ ବାହାରର ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇଲେ କେମିତି। ରେଜିଷ୍ଟ୍ରେଶନ ନଂ. ୧୪୧୦୮/୨୦୦୩ରେ ଅନୁଭବ ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କନ୍ଦରପୁର କଲେଜର ଛାତ୍ର କି ନୁହେଁ ଏବଂ ଅଦ୍ୟାବଧି ପାସ୍ କରି ନ ଥିବା କଥା ସତ କି ମିଛ ତା’ର ଉତ୍ତର ଦିଅନ୍ତୁ ବୋଲି ନିଶିକାନ୍ତ କହିଛନ୍ତି। ଯଦି କଂଗ୍ରେସ ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ ତେବେ ସେ ଆଇନର ଆଶ୍ରୟ ନ ନେଇ କ’ଣ ପାଇଁ ଖସିଯିବାକୁ ଚେଷ୍ଟା କରୁଛନ୍ତି ବୋଲି ନିଶିକାନ୍ତ ପ୍ରଶ୍ନ କରିଛନ୍ତି।