Categories: ଖେଳ

ଅନୁରାଧାଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର, ୨୩।୧୦(କ୍ରୀଡ଼ା ପ୍ରତିନିଧି)-ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କୁ ମିଳିଛି ଆଉ ଏକ ଗୁରୁଦାୟିତ୍ୱ। ଓଏନଜିସି ପକ୍ଷରୁ ଏହି ଜାତୀୟ ରେକର୍ଡଧାରୀ ହର୍ଡଲ୍ସ ତାରକାଙ୍କୁ ସର୍ବଭାରତୀୟ ପବ୍ଲିକ୍‌ ସେକ୍ଟର ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ (ଏଆଇପିଏସଏସପିବି)ର ଜାତୀୟ କ୍ରୀଡ଼ା ସଂଯୋଜକ ନିଯୁକ୍ତ କରାଯାଇଛି। ଜାତୀୟ ସ୍ତରରେ ପ୍ରତିଭା ଅନ୍ବେଷଣ ଏବଂ ସେମାନଙ୍କୁ ଏଆଇପିଏସଏସପିବି କ୍ରୀଡ଼ା ବୃତ୍ତିଲାଗି ମନୋନୀତ କରିବାର ଗୁରୁ ଦାୟିତ୍ୱ ଏବେ ଅନୁରାଧାଙ୍କ ଉପରେ। କେବଳ ଆଥଲେଟିକ୍ସ ନୁହେଁ ତୀରନ୍ଦାଜୀ, ବ୍ୟାଡ୍‌ମିଣ୍ଟନ ଟେବୁଲ ଟେନିସ, କୁସ୍ତି ଓ ବକ୍ସିଂ ଆଦି ଲାଗି ମଧ୍ୟ ସେ ପ୍ରତିଭା ଅନ୍ବେଷଣ ଦାୟିତ୍ୱ ତୁଲାଇବେ। ୧୪ରୁ ୧୯ ବର୍ଷର ପ୍ରତିଭା ସମ୍ପନ୍ନ ଖେଳାଳିଙ୍କୁ ବର୍ଷକ ପାଇଁ ମାସିକ ୧୦,୦୦୦ ଟଙ୍କା ଲେଖାଏ ବୃତ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସର୍ବଭାରତୀୟ ସ୍ତରରେ ଏପରି ଏକ ଦାୟିତ୍ୱ ପାଇଥିବାରୁ ମୁଁ ବହୁତ ଖୁସି। ମୁଁ ଜଣେ ଅଲିମ୍ପିଆନ, ଏହା ବ୍ୟତୀତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଭିଜ୍ଞତାକୁ ଦେଖି ମୋତେ ଏହି ଗୁରୁଦାୟିତ୍ୱ ଦିଆ ଯାଇଛି। ମୁଁ ନିଷ୍ଠାର ସହିତ ଦାୟିତ୍ୱ ତୁଲାଇବାକୁ ନିଶ୍ଚିତ ଚେଷ୍ଟା କରିବି ବୋଲି ଅନୁରାଧା ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ସମ୍ପ୍ରତି ନାଲ୍‌କୋରେ କାର୍ଯ୍ୟରତ ଅନୁରାଧା ୨୦୦୨ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜା ଭାଲେନ୍ଦ୍ର ସିଂ ନ୍ୟାଶନାଲ ସର୍କିଟ ମିଟ୍‌ରେ ୧୦୦ ମିଟର ହର୍ଡଲ୍ସକୁ ୧୩.୩୮ ସେକେଣ୍ଡରେ ଅତିକ୍ରମ କରି ନିଜ ନାମରେ ଥିବା ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ। ପୂର୍ବରୁ ୨୦୦୦ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ସେ ୧୩.୪୦ ସେକେଣ୍ଡ ସମୟ ନେଇ ଜାତୀୟ ରେକର୍ଡର ଅଧିକାରିଣୀ ହୋଇଥିଲେ। ଏହି ପ୍ରତିଯୋଗିତାରେ ସେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲେ। ୨୦୦୬ରେ ଶ୍ରୀଲଙ୍କର କଲମ୍ବୋଠାରେ ଅନୁଷ୍ଠିତ ସାଉଥ୍‌ ଏସିଆନ ଗେମ୍ସରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ସେ ୨୦୦୦ ସିଡ୍‌ନୀ ଅଲିମ୍ପିକ୍ସରେ ଭାରତୀୟ ପ୍ରତିନିଧି ଦଳରେ ସାମିଲ ହୋଇ ରାଜ୍ୟକୁ ଗର୍ବିତ କରିଥିଲେ।

Share