ଅନୁରୋଧ ରକ୍ଷାକରି ଶେଷ ବିଦାୟ ସମୟରେ ସ୍ମିତା ପାଟିଲଙ୍କୁ ଶୁଆଇ ବୋହୂବେଶରେ ମେକ୍‌ଅପ୍‌ କରିଥିଲେ ଦୀପକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୩ତମ ପୁଣ୍ୟତିଥି ଶୁକ୍ରବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। ଏକ ଫିଲ୍ମ ସେଟ୍‌ରେ ରାଜକୁମାର ମେକ୍‌ଅପ୍‌ କରିବାକୁ ଡେରି କରୁଥିଲେ। କାରଣ ଜାଣିବା ପାଇଁ ସ୍ମିତା ରାଜକୁମାରଙ୍କ ଡ୍ରେସିଂ ରୁମ୍‌କୁ ହଠାତ୍‌ ପଶି ଯାଇଥିଲେ। ସେ ଦେଖିଥିଲେ ସେଠାରେ ମେକ୍‌ଅପ୍‌ ମ୍ୟାନ୍‌ ଦୀପକ ସାଓ୍ବନ୍ତ ରାଜକୁମାର ଶୋଇଥିବା ଅବସ୍ଥାରେ ମେକ୍‌ଅପ୍‌ କରୁଛନ୍ତି। ଏହା ସ୍ମିତାଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ସେ ଏପରି କରିବାକୁ ଦୀପକଙ୍କ ଆଗରେ ଜିଦ୍‌ ଧରିଥିଲେ। ତେବେ ଦୀପକ ପରେ କରିବାକୁ କହିଥିଲେ। ଏହାପରେ ୧୯୮୬ ଡିସେମ୍ବର ୧୩ରେ ପ୍ରସବଜନିତ ସମସ୍ୟା ଯୋଗୁ ସ୍ମିତାଙ୍କ ମୃତ୍ୟୁ ଘଟିଥିଲା। ଦୀପକ ସ୍ମିତାଙ୍କ ଅନୁରୋଧ ରକ୍ଷା କରି ଶେଷନିଦ୍ରାରେ ଶୋଇଥିବା ସ୍ମିତାଙ୍କ ମେକ୍‌ଅପ୍‌ ଅତି ସୁନ୍ଦର ଭାବେ ବୋହୂବେଶରେ କରିଥିଲେ। ଜୀବନ୍ତ ଅବସ୍ଥାରେ ଶୋଇ ରହି ମେକ୍‌ଅପ୍‌ କରି ପାରି ନ ଥିବା ସ୍ମିତାଙ୍କ ଆଶା ଶେଷନିଦ୍ରାରେ ହିଁ ପୂରଣ ହୋଇଥିଲା।

Share