ଅନୁଷ୍କାଙ୍କୁ ବଦଳାଇଦେଲା ‘ଦ ଗେମ୍‌ ଚେଞ୍ଜର’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଭିନ୍ନ ଅଭିନୟ ଶୈଳୀ ସହ ହେଲ୍‌ଦୀ ଲାଇଫ୍‌ଷ୍ଟାଇଲ ଓ ଫିଟ୍‌ନେଶ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ବର୍ଷ ହେବ ଅନୁଷ୍କା ଶାକାହାରୀ ହୋଇଯିବା ପରଠୁ ତାଙ୍କୁ ଅନେକ ସମୟରେ ଗୋଟିଏ ପ୍ରଶ୍ନର ସାମ୍ନା କରିବାକୁ ପଡିଛି। ତାହା ହେଲା ସାକାହାରୀ ହୋଇ ବି ସେ ଏତେ ଫିଟ୍‌ କେମିତି ଆଉ ତାଙ୍କ ଶରୀରକୁ ପ୍ରୋଟିନ୍‌ କେଉଁଠୁ ମିଳିଥାଏ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅନୁଷ୍କା ତାଙ୍କ ଟୁଇଟର ପେଜ୍‌ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ନେଟ୍‌ଫ୍ଲିକ୍ସରେ ପ୍ରସାରିତ ଏକ ଫିଲ୍ମ ‘ଦ ଗେମ୍‌ ଚେଞ୍ଜର’ ତାଙ୍କ ଜୀବନଶୈଳୀକୁ ବଦଳାଇ ଦେଇଛି। ଏହି ଫିଲ୍ମ ଦେଖିବା ପରଠୁ ହିଁ ସେ ଆମିଷ ଖାଇବା ବନ୍ଦ କରିଦେଇଛନ୍ତି। ଏହି ଫିଲ୍ମର ଟ୍ରେଲରର ଲିଙ୍କ୍‌ ଶେୟାର କରି ସମସ୍ତେ ଏହାକୁ ଦେଖନ୍ତୁ ବୋଲି ଅନୁଷ୍କା ଉଲ୍ଲେଖ କରିଛନ୍ତି। ଆମିଷ ଖାଇବା ଫଳରେ ଶରୀରକୁ ପ୍ରୋଟିନ୍‌ ମିଳୁଥିବା କଥା କେବଳ ମାଛ, ମାଂସ ବିକ୍ରି କରିବାର ଏକ ଚାଲ୍‌ ବୋଲି ଏହି ଫିଲ୍ମରେ ଆର୍ନୋଲ୍ଡ ସ୍ବର୍ଜନେଗରଙ୍କ ସହ ବହୁ ନାମୀଦାମୀ ଆଥ୍‌ଲେଟିକ୍ସ ଓ ଫର୍ମୁଲା ଓ୍ବାନ୍‌ ରେସର୍‌ ଲୁଇସ୍‌ ହାମିଲ୍‌ଟନ କହିଛନ୍ତି। ଏହି ଫିଲ୍ମରେ ଶାକାହାରୀ ଫାଇଟର୍‌ ରୋମାନ୍‌ ଗ୍ଲାଡିଏଟରର୍ସଙ୍କ ସମ୍ପର୍କରେ ମଧ୍ୟ କୁହାଯାଇଛି। ତେବେ ଶାକାହାରୀ ହେବା ପରେ କିପରି ଆଥଲେଟ୍‌ମାନଙ୍କ ପ୍ରଦର୍ଶନ ଉନ୍ନତ ହୋଇଛି ସେ ସମ୍ପର୍କରେ ଫିଲ୍ମରେ ଦର୍ଶାଯାଇଛି। ଅନୁଷ୍କା ୨୦୧୭ରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଅଧିନାୟକ ବିରାଟ୍‌ କୋହଲୀଙ୍କୁ ବିବାହ କରିଛନ୍ତି। ବାହାଘର ପରେ ବିରାଟ ମଧ୍ୟ ଆମିଷ ଖାଇବା ଛାଡ଼ି ଦେଇଛନ୍ତି। ଅନୁଷ୍କା ଏହି ଫିଲ୍ମ ସମ୍ପର୍କରେ ଟୁଇଟ୍‌ କରିବା ପରେ ବିରାଟ ମଧ୍ୟ ନିକ ଟୁଇଟର ପେଜ୍‌ରେ ଏ ସମ୍ପର୍କରେ ଏକ ପୋଷ୍ଟ କରିଛନ୍ତି।

Share