ଅନୈତିକ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା: ମା’, ପୁଅ ଗିରଫ

ଧରାକୋଟ,୪ା୧୦(ଡି.ଏନ.ଏ.)- ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅଞ୍ଚଳରେ ଅନୈତିକ ସମ୍ପର୍କକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଗମ୍ଭାରୀଗୁଡ଼ା ଗ୍ରାମର ମୁନା ନାଇକ। ମୁନାଙ୍କୁ ମଙ୍ଗଳବାର ରାତିରେ ହତ୍ୟା କରାଯାଇ ପୋଖରୀରେ ଫିଙ୍ଗି ଦିଆଯାଇଥିଲା। ମୃତଦେହଟି ଫୁଲିଯାଇ ଭାସୁଥିବା ଗୁରୁବାର ସକାଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ଘଟଣାର ତଦନ୍ତ କରି ଅଭିଯୁକ୍ତ ମା’, ପୁଅଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଅଟକ ରଖିଛି। ଏ ନେଇ ବଡ଼ଗଡ଼ ଥାନାରେ ଏକ ମାମଲା (ନଂ.୨୧୦/୧୯) ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ଗାଡ଼ି ହେଲ୍‌ପର ଭାବେ କାମ କରୁଥିବା ମୁନା ବଡ଼ଗଡ଼ ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ମହିଳାଙ୍କ ସ୍ବାମୀ ଏହା ଜାଣିବା ପରେ ମର୍ମାହତ ହୋଇ କିଛିଦିନ ତଳେ ଆତ୍ମହତ୍ୟା କରିଥିଲେ। ବଡ଼ ଦୁଇ ପୁଅ ବାହାରେ ରହୁଥିବା ବେଳେ ମା’ଙ୍କ ପାଖରେ ସାନପୁଅ ରହୁଥିଲେ। ରାଜ୍ୟ ବାହାରେ କାମ କରୁଥିବା ବଡ଼ପୁଅ ଗାଁକୁ ଆସିବା ପରେ ମା’ଙ୍କ ସହ ମୁନାଙ୍କ ମିଳାମିଶା ଓ ସେ ଘରକୁ ଯିବାଆସିବା ଘଟଣାକୁ ଗ୍ରହଣ କରିପାରୁ ନ ଥିଲେ। ଏଭଳି ସ୍ଥିତିରେ ମଙ୍ଗଳବାର ରାତିରେ ମୁନା ଘରକୁ ଆସିବାରୁ ମହିଳା ଜଣଙ୍କ ତାଙ୍କୁ ବିରୋଧ କରିଥିଲେ । ମା’ଙ୍କ ପାଟି ଶୁଣି ବଡ଼ ପୁଅ ପହଞ୍ଚି ମୁନାଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ମା’ ଓ ପୁଅ ମିଶି ଘରେ ଥିବା ଫୁଙ୍କନଳାରେ ମୁନାଙ୍କ ମୁହଁ, ମୁଣ୍ଡ, ଛାତିକୁ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ମା’ ପୁଅ ମିଶି ମୃତଦେହକୁ ନେଇ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ। ଗୁରୁବାର ମୃତଦେହ ଭାସୁଥିବା ଖବରପାଇ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଧରାକୋଟ ଥାନାଧିକାରୀ ସନ୍ତୋଷ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଘଟଣାର ସରଜମିନ ତଦନ୍ତ ପରେ ମୁନାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ମହିଳା ଓ ତାଙ୍କ ପୁଅ ସମ୍ପୃକ୍ତ ଥିବା ଜଣାପଡିଛି ବୋଲି ଏସଡିପିଓ ପ୍ରଧାନ କହିଛନ୍ତି।