ଅନ୍ତଃରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ: ମାଧବଙ୍କୁ ଶ୍ରେଷ୍ଠ ଜୁରୀ ସମ୍ମାନ

ବାଲେଶ୍ୱର ଅଫିସ, ୧୪।୨-ବାଲେଶ୍ୱର ସୁନହଟ ଅଞ୍ଚଳର ଲେଖକ, ଅଭିନେତା ଓ ନିର୍ଦ୍ଦେଶକ ମାଧବ ଚନ୍ଦ୍ର ପରିଡ଼ା ଗତ ୭, ୮ ଓ ୯ ତାରିଖ ୩ଦିନ ଧରି ବିହାରର ଔରଙ୍ଗାବାଦ ସହରର ଦାଉଦ ନଗରରେ ଅବସ୍ଥିତ ସଂସ୍କାର ବିଦ୍ୟା, ବିଦ୍ୟା ନିକେତନ ଗ୍ରୁପ ଅଫ ସ୍କୁଲ ପରିସରରେ ଚାଲିଥିବା ଅନ୍ତଃରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବରେ ବିଚାରକ ଭାବେ ଯୋଗଦେଇ ଶ୍ରେଷ୍ଠ ଜୁରୀ ସମ୍ମାନ ପାଇଥିଲେ। ହିନ୍ଦୀ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଅଖିଳେନ୍ଦ୍ର ମିଶ୍ର ଏକ ମନୋରମ ପରିବେଶରେ ସମ୍ବର୍ଦ୍ଧିତ କରିଛନ୍ତି। ଅନ୍ତଃରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ କରି ଲେଖକ, ଅଭିନେତା ଓ ନିର୍ଦ୍ଦେଶକ ଭାବେ ପରିଡ଼ା ଯୋଗଦେଇ ଜିଲା ତଥା ରାଜ୍ୟର କଳାକାରମାନଙ୍କ ପାଇଁ ଆଦର୍ଶ ବନିବା ସହ ଗୌରବ ଆଣିଛନ୍ତି।
ଏହି ଅନ୍ତଃରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବରେ ବିଶ୍ୱରୁ ୩୫ଟି ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ସମଗ୍ର ଭାରତ ବର୍ଷର ବିଭିନ୍ନ କୋଣ ଅନୁକୋଣରୁ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହିତ ପ୍ରଯୋଜକ, ନିର୍ଦ୍ଦେଶକ, କାହାଣୀ ଲେଖକ, ସଂଳାପ ଲେଖକ, କଳା ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ଶିଶୁ ଅଭିନେତା, ଅଭିନେତ୍ରୀମାନେ ଯୋଗଦେଇଥିଲେ। ସୁପର ୩୦ର ସ୍ରଷ୍ଟା ଆନନ୍ଦ କୁମାର, ହରିୟାଣା, ଝାନ୍‌ସୀର ୱଣ୍ଡରଫୁଲ ଗର୍ଲ ଜାନଭି, ବମ୍ବେ ଟେଲିଭିଜନ ଓ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୀଲ ଦୁବେ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ମହାନ ଅଭିନେତା ଅଖିଳେନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ୩ ଦିନ ଧରି ଯୋଗ ଦେଇଥିଲେ। ଏହି ଶିଶୁ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ରଗୁଡିକର ମୂଲ୍ୟାଙ୍କନ କରିବା ପାଇଁ ଏକ ଜୁରୀ କମିଟି ଗଠନ କରାଯାଇଥିଲା। ସେହି ଜୁରୀ କମିଟିର ସଦସ୍ୟ ଭାବେ ଆରିଫ୍‌ ସେଡ଼ୋଲି, ଅଶୋକ ମେହେରା, ମାଧବ ଚନ୍ଦ୍ର ପରିଡ଼ା, ସମୀକ୍ଷକ କୃଷ୍ଣ କିଶୀଲୟା, ଭୋଜପୁରୀ ଫିଲ୍ମର ଅଭିନେତା ମନୋଜ ପଣ୍ଡିତ ଏବଂ କାଷ୍ଟିଙ୍ଗ ଡିରେକ୍ଟର ଅନୀତା ପଣ୍ଡିତ ମଧ୍ୟ ଯୋଗ ଦେଇଥିଲେ ା ଅନ୍ତଃରାଷ୍ଟ୍ରୀୟ ଶିଶୁ ଚଳଚ୍ଚିତ୍ରର ଶେଷ ଦିବସରେ ହ୍ରିତିକ୍‌ ରୋଶନ ଅଭିନୀତ ବାୟୋପିକ୍‌ ଚଳଚ୍ଚିତ୍ର ସୁପର ୩୦ ପ୍ରଦର୍ଶିତ ହେବା ସହ ଶିଶୁ ଚଳଚ୍ଚିତ୍ର ମହୋତ୍ସବର ଫଳାଫଳ ଘୋଷଣା କରାଯାଇଥିଲା ା ଏଥିସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରତିଭା ନିମନ୍ତେ ସମ୍ମାନ ଓ ସମ୍ବର୍ଦ୍ଧନା ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଦିଆଯାଇଥିଲା।