Categories: ଫୁରସତ

ଅନ୍ତରୀକ୍ଷରୁ ଆସିଥାଏ ସୁନା

ଖାଲି ଭାରତ ନୁହେଁ, ସମଗ୍ର ବିଶ୍ୱରେ ସୁନାର ଚାହିଦା ଅଧିକ। ଏହି ହଳଦିଆ ରଙ୍ଗ ଧାତୁର ଉତ୍ପତ୍ତି ନେଇ ଅନେକ ତର୍କ ବିତର୍କ ରହିଛି। ଏହା କେଉଁଠୁ ଏବଂ କେମିତି ଆସୁଛି ସେନେଇ ବୈଜ୍ଞାନିକଙ୍କ ପାଖରେ ସଠିକ୍‌ ତଥ୍ୟ ନାହିଁ। ମାତ୍ର କିଛି ବୈଜ୍ଞାନିକ କୁହନ୍ତି, ପୃଥିବୀପୃଷ୍ଠରେ ଥିବା ସୁନା ପୃଥିବୀର ସମ୍ପତ୍ତି ନୁହେଁ। ଏହା ଅନ୍ତରୀକ୍ଷରୁ ଉଲ୍‌କାପିଣ୍ଡ ଜରିଆରେ ଆସିଥାଏ।

ବୈଜ୍ଞାନିକ ଜନ୍‌ ଏମ୍‌ସ୍ଲି କୁହନ୍ତି, ଏହି ଧାତୁ ଉଲ୍‌କାପିଣ୍ଡ ରୂପରେ ପୃଥିବୀକୁ ଆସିଥାଏ। କାରଣ ଏହା ପୃଥିବୀର ବାହାର ଅଂଶରୁ ମିଳିଥାଏ। ସୁନାର ଉପଲବ୍ଧତା ବିଷୟରେ କିଛି ବର୍ଷ ଧରି ଚର୍ଚ୍ଚା ହୋଇଆସୁଥିବା ବେଳେ ବୈଜ୍ଞାନିକମାନେ ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ପୃଥିବୀର ପ୍ରାୟ ୨୫ ମାଇଲ୍‌ ମୋଟେଇ ବାହାର ଅଂଶରେ ମିଶୁଥିବା ୧୦୦୦ ଟନ୍‌ ଧାତୁରେ କେବଳ ୧.୩ ଗ୍ରାମ ସୁନା ରହିଥାଏ।


ଲଣ୍ଡନର ଇମ୍ପରିୟଲ କଲେଜର ଭୂଗର୍ଭଶାସ୍ତ୍ରୀ ମଥିଆ ବିଲ୍‌ବୋଲ୍ଡ କୁହନ୍ତି, ଉଲ୍‌କାପିଣ୍ଡରେ କିଛିମାତ୍ରାରେ ସୁନା ରହିଥାଏ। କରାଯାଇଥିବା ସିଦ୍ଧାନ୍ତ ଉଲ୍‌କାପିଣ୍ଡର ଗତିବିଧି ସହିତ ମେଳ ଖାଉଛି। ଯେଉଁଥିରୁ ବୈଜ୍ଞାନିକମାନେ ଏହା ଅନୁମାନ କରୁଛନ୍ତି। ଏହି ଘଟଣା ପ୍ରାୟ ୩.୮ ଅରବ ବର୍ଷ ପୂର୍ବରୁ ଘଟିଥିଲା। ୧୯୭୦ ଦଶକରେ ଆପୋଲୋ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ଉଲ୍‌କାପିଣ୍ଡ ଜରିଆରେ ପୃଥିବୀକୁ ସୁନା ଆସିଥିବା ସିଦ୍ଧାନ୍ତ ନିଆଯାଇଥିଲା। ଚନ୍ଦ୍ରପୃଷ୍ଠରୁ ନିଆଯାଇଥିବା ନମୁନାରୁ ଜଣାପଡ଼ିଛି, ଅନ୍ତରୀକ୍ଷରୁ ରେଡିୟମଯୁକ୍ତ ଉଲ୍‌କାପିଣ୍ଡ ଖସିଥିଲା। ପରୀକ୍ଷା କରାଯିବାରୁ ଏଥିରେ ସୁନା ଥିବା ଜଣାପଡ଼ିଥିଲା।

Share