ଅନ୍ତରୀଣ କମିଟି ଗଠନକୁ ବିରୋଧ

କଟକ ଅଫିସ୍‌,୨୦।୫: ଲକ୍‌ଡାଉନ୍‌ ଯୋଗୁ ହାଇକୋର୍ଟ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ସ୍ଥଗିତ ରଖିଛନ୍ତି। ଏଣୁ ଓକିଲ ସଂଘଗୁଡ଼ିକର ପରିଚାଳନା ପାଇଁ ଅନ୍ତରୀଣ କମିଟି ଗଠନ କରିବାକୁ ରାଜ୍ୟ ଆଇନଜୀବୀ ପରିଷଦର ସ୍ବତନ୍ତ୍ର କମିଟି ନିଷ୍ପତ୍ତି ନେଇଥିଲା। ସମସ୍ତ ଓକିଲ ସଂଘକୁ ଏନେଇ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ପରିଷଦର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଓକିଲ ସଂଘ ହାଇକୋର୍ଟରେ ମାମଲା ରୁଜୁ କରିଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଓ ବିଚାରପତି ଜଷ୍ଟିସ୍‌ ବିଶ୍ୱଜିତ୍‌ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ଗୁରୁବାର (୨୧ ତାରିଖ) ଏହାର ପରବର୍ତ୍ତୀ ଶୁଣାଣି ହେବ।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗଣେଶ୍ୱର ରଥ ଯୁକ୍ତି ରଖିଥିଲେ ଯେ, ହାଇକୋର୍ଟ ଓକିଲ ସଂଘ ଓ ରାଜ୍ୟର ଅନ୍ୟ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ନାମାଙ୍କନ ପତ୍ର ଦାଖଲ ସରିଛି। ନିର୍ବାଚନ ପ୍ରକ୍ରିୟାକୁ ଅଟକାଇବା କ୍ଷମତା ରାଜ୍ୟ ଆଇନଜୀବୀ ପରିଷଦ ପାଖରେ ନାହିଁ। ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) କିମ୍ବା ରାଜ୍ୟ ଆଇନ୍‌ଜୀବୀ ପରିଷଦ ପାଖରେ କୌଣସି ଓକିଲ ସଂଘର ଅନ୍ତରୀଣ କମିଟି ଗଠନ କରିବାର କ୍ଷମତା ଅଛି କି ସେ ପ୍ରଶ୍ନ କରିଛନ୍ତି। ଓଲଟି ବିସିଆଇ ଓ ରାଜ୍ୟ ଆଇନଜୀବୀ ପରିଷଦକୁ ନିର୍ବାଚିତ ପ୍ରତିନିଧିଙ୍କ ବଦଳରେ ଏକ ଅନ୍ତରୀଣ କମିଟି ଚଳାଉଛି। ସେଠାରେ ମଧ୍ୟ ନିର୍ବାଚନ ହୋଇନି। ସେମାନେ କେମିତି ଓକିଲ ସଂଘ ନିର୍ବାଚନରେ ହସ୍ତକ୍ଷେପ କରିବେ ବୋଲି ଆଇନଜୀବୀ ରଥ ଯୁକ୍ତି ରଖିଥିଲେ।

Share